ରାଜନୀତି କଡେଇରେ ଉଜ୍ଜ୍ୱଳା ଯୋଜନା । ଗ୍ୟାସ ଦର ବୃଦ୍ଧି ନେଇ ବିଜେଡି ମହିଳା ମୋର୍ଚ୍ଚାର ପ୍ରତିବାଦ, ବିଜେପିର ଜବାବ ପ୍ରଥମେ ମହିଳାଙ୍କୁ ସମ୍ମାନ ଦେଉ ବିଜେଡି ।

59

କନକ ବ୍ୟୁରୋ: ଉଜ୍ଜ୍ୱଳାକୁ ନେଇ ତାତିଲେ ବିଜେଡ଼ି ମହିଳା ମୋର୍ଚ୍ଚା । ପେଟ୍ରୋଲ, ଡିଜେଲ ପରି ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାର ପ୍ରତିବାଦ କରିଛନ୍ତି ବିଜେଡି ମହିଳା ମୋର୍ଚ୍ଚା କର୍ମୀ । ଫଳରେ ଭୁବନେଶ୍ୱର ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେଡି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ । ତେବେ ବିଜେଡିର ଅଭିଯୋଗ ଅନୁସାରେ ଏହି ଯୋଜନା ଗରିବ ମହିଳାଙ୍କ ଆଖି ଲୁହ ପୋଛିବା ପାଇଁ ହୋଇଛି ବୋଲି ମୋଦି ଓ କେନ୍ଦ୍ରମନ୍ତ୍ରୀଗଣ ବେଶ ପ୍ରଚାର ପ୍ରସାର କଲେ । ହେଲେ ଏହି ଯୋଜାନାର ବାସ୍ତବ ଚିତ୍ର କିନ୍ତୁ ପୁରାପୁରି ଭିନ୍ନ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏବେ ଗରିବ ମହିଳାଙ୍କ ପାଇଁ ଜ୍ଜାଳାରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି । କେନ୍ଦ୍ର ଏହି ଯୋଜନା ପାଇଁ ବାରମ୍ବାର ବାହାବା ନେବାପାଇଁ ଚେଷ୍ଟା କରୁଛି ହେଲେ ତାହା ଏବେ ବୁମେରାଂ ହୋଇଯାଇଛି ।

ଏହି ଯୋଜନା ସଫଳ ହୋଇଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେର ସ୍ଥିତିରୁ ଜଣାପଡ଼ୁଛି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଏପରି ଯୋଜନା ପାଇଁ ସରକାର ଯେଉଁ ପ୍ରକାର ପଦକ୍ଷେପ ନେବା ଉଚିତ୍ ତାହା ସରକାର ନେଇନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ରନ୍ଧନ ଗ୍ୟାସ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଓଡ଼ିଶାର ଗରିବ ମହିଳାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ମେ ୨୦୧୪ ରୁ ୨୦୧୭ ମଧ୍ୟରେ ଗୋଟିଏ ସିଲିଣ୍ଡର ପିଛା ଥିବା ଦର ୧୬ ପ୍ରତିଶତ ବୃଦ୍ଧିପାଇଛି । ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ୨୦୧୪ରୁ ଏପର‌୍ୟ୍ୟନ୍ତ ରନ୍ଧନ ଗ୍ୟାସ ମୂଲ୍ୟ ୨୨ ଥର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତୈଳ ମନ୍ତ୍ରାଳୟର ଅପରାଗତା ଓ ସ୍ଥାଣୁତା ସ୍ପଷ୍ଟ ବାରି ହୋଇପଡ଼ୁଛି । ତେବେ ଏପରି ବିଶ୍ୱାସଘାତକତାକୁ ଓଡ଼ିଶାର ମହିଳାମାନେ ବିଲକୁଲ ବରଦାସ୍ତ କରିବେ ନାହିଁ । ଆଗାମୀ ନିର୍ବାଚନରେ ତାହାର ଉଚିତ୍ ଜବାବ ଦେବେ ବୋଲି କହିଛି ବିଜୁ ମହିଳା ଜନତା ଦଳ ।

ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଉଜ୍ଜଳା ଏକ ସଫଳ ଯୋଜନାରେ ପରିଣତ ହୋଇଛି ଯାହାର ଜ୍ଜ୍ୱଳା ବିଜେଡି ମହିଳାକର୍ମୀଙ୍କୁ ହେବା ସ୍ୱାଭାବିକ । ନିକଟରେ ମହିଳାଙ୍କ ଚରିତ୍ରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମହାରଥୀଙ୍କ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏଭଳି ପ୍ରତିବାଦ କରୁଛନ୍ତି । ଏହି ପ୍ରତିବାଦ ଏକ ଦିଶାହୀନ ପ୍ରତିବାଦ ତେଣୁ ନବୀନ ସରକାରଙ୍କୁ ଏହାର ମୂଲ୍ୟ ଆଗାମୀ ନିର୍ବାଚନରେ ଦେବାକୁ ପଡ଼ିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି  ।