ଆପଣଙ୍କ ସର୍ବନିମ୍ନ ଜମାରାଶି ଉପରେ ମାଲାମାଲ୍ ହେଲା ବ୍ୟାଙ୍କ ! ୪ ବର୍ଷରେ ରୋଜଗାର କଲା ୧୧,୫୦୦ କୋଟି ଟଙ୍କା ।

32

ନିର୍ଦ୍ଧାରିତ ସର୍ବନିମ୍ନ ଜମାରାଶି ନରଖିବା ଫଳରେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କାଟି ନେଇଥାଏ । ଏବଂ ଅନେକ ଲୋକ ଏହା ଉପରେ ଆଦୌ ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ନରଖିବା ଫଳରେ ଗତ ଚାରି ବର୍ଷରେ ବ୍ୟାଙ୍କ ୧୧,୫୦୦ କୋଟି ଟଙ୍କା ରୋଜଗାର କରିଛି । ଅର୍ଥ ମନ୍ତ୍ରାଳୟର ଏକ ସୂତ୍ର ଅନୁଯାୟୀ, ୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିପାରୁନଥିବା ଗ୍ରାହକମାନଙ୍କ ଠାରୁ ସମୁଦାୟ ୧୧,୫୦୦ କୋଟି ଟଙ୍କା ରୋଜଗାର କରିଛି ।

ତେବେ ଏହି କ୍ଷେତ୍ରରେ ସବୁଠାରୁ ଅଧିକ ରୋଜଗାର କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୦୧୭-୧୮ ମଧ୍ୟରେ ୨,୫୦୦ କୋଟି ଟଙ୍କା ରୋଜଗାର କରିଛି । ସେହିପରି ଏଚଡିଏଫସି ବ୍ୟାଙ୍କ ୬୦୦ କୋଟି ଟଙ୍କା ରୋଜଗାର କରିଛି । ସୂଚନା ଅନୁଯାୟୀ, ବଡ ବଡ ଡିଫଲ୍ଟର୍ସ କାରଣରୁ ବ୍ୟାଙ୍କର ଏନପିଏ ୨୦୧୭-୧୮ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ବ୍ୟାଙ୍କର କହିବା ଅନୁଯାୟୀ, ଆକାଉଣ୍ଟକୁ ଚଳାଇବା ପାଇଁ ଜରୁରୀ ଖର୍ଚ୍ଚ ବାହାର କରିବା ନିମନ୍ତେ ଚାର୍ଜ ଲଗାଯାଇଥାଏ । ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ନରଖିବା ଫଳରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୫ ରୁ ୧୫ ଟଙ୍କା ସହ ଜିଏସଟି ବାବଦରେ ମଧ୍ୟ ଅର୍ଥ ରାଶି ଆକାଉଣ୍ଟରୁ କାଟି ନେଇଥାଏ । ମେଟ୍ରୋ ସହରରେ ଏସବିଆଇ ଗ୍ରାହକମାନଙ୍କୁ ଆକାଉଣ୍ଟରେ ସର୍ବନିମ୍ନ ୩୦୦୦ ଟଙ୍କା ରଖିବା ପାଇଁ ପଡିଥାଏ । ସେହିପରି ଛୋଟ ସହର ଗୁଡିକରେ ଗ୍ରାହକମାନଙ୍କୁ ଆକାଉଣ୍ଟରେ ୨୦୦୦ ଟଙ୍କା ଏବଂ ଗ୍ରାମୀଣ ସହରରେ ଗ୍ରାହକମାନଙ୍କୁ ୧୦୦୦ ଟଙ୍କା ରଖିବା ବାଧ୍ୟତାମୂଳକ ଅଟେ ।