ଆଗାମୀ ନିର୍ବାଚନ ପାଇଁ ବିଜେଡିର କସରତ ! କାହାକୁ ମିଳିବ ଟିକେଟ, କିଏ ହରାଇବ ବିଶ୍ୱାସ ? ଦଳୀୟ ନେତା କହିଲେ, ଆକଳନ କରିବେ ଦଳ ସୁପ୍ରିମୋ

30

କନକ ବ୍ୟୁରୋ: ଆସନ୍ତା ନିର୍ବାଚନରେ କିଏ ବାଦ ପଡିବ କାହାକୁ ଟିକେଟ ମିଳିବ ସେ ନେଇ ବିଜେଡିରେ ଲାଗିରହିଛି କଳ୍ପନାଜଳ୍ପନା । କେଉଁ ବିଧାୟକଙ୍କୁ ଟିକେଟ ମିଳିବ ଓ କାହାକୁ ବାଦ ଦିଆଯିବ ସେ ନେଇ ତର୍ଜମା ଆରମ୍ଭ ହୋଇଯାଇଛି । ଏହି ସମୟରେ ଆଜି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ପ୍ରତିଥର ନିର୍ବାଚନରେ ଦଳର ୨୫ରୁ ୩୦ ପ୍ରତିଶତ ପ୍ରାର୍ଥୀ ବଦଳିଥାନ୍ତି । ନବୀନ ଆମ ଦଳର ବ୍ରାଣ୍ଡ । ବିକାଶ ବିଜେଡିର ଏଜେଣ୍ଡା । ତେଣୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲେ ବିଜେଡି ସଭାପତି ଆକଳନ କରିବେ କିଏ ଭଲ କାମ କରିଛି । ଅନେକ ଆଶାୟୀ ରହିବା ସ୍ୱାଭାବିକ । କିନ୍ତୁ ଯିଏ ନବୀନ ଓ ଦଳର ଭାବମୂର୍ତିକୁ ବଢାଇବାରେ ସହାୟକ ହୋଇଥିବା, ଲୋକଙ୍କ ପାଇଁ କାମ କରୁଥିବ ସେ ନିଶ୍ଚିତ ଟିକେଟ ପାଇବ ।

ତେବେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜଣେ ଅଭିଜ୍ଞ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଏଭଳି ବୟାନ, ବିଜେଡି ଶିବିରରେ ନିଶ୍ଚିତ ହଟଚମଟ ସୃଷ୍ଟି କରିବ । କାରଣ ବିଜେଡି ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛି ବୋଲି ଗଣମାଧ୍ୟମରେ କହିଛନ୍ତି । ହେଲେ ବିରୋଧୀ ଦଳ ବିଜେପି ଯେଉଁ ମିଶନ ୧୨୦ ଲକ୍ଷ୍ୟ ରଖି ପୂର୍ବ ଭାରତକୁ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଶାସକ ଦଳକୁ ପୁର୍ନବାର କ୍ଷମତାକୁ ଆଣିବାରେ କିଏ ସହାୟକ ହେବ ତାହାକୁ ନେଇ ଏବେଠୁ ବିଜେଡିରୁ ଆରମ୍ଭ ହୋଇଛି କସରତ ।

ଏଠି ସବୁଠାରୁ ବଡ ପ୍ରଶ୍ନ ଯେ ଆଗାମୀ ନିର୍ବାଚନରେ କିଏ ବିଜେଡିକୁ ବିଜୟୀ କରାଇାରେ ସହାୟକ ହେବ ? କାହାକୁ ବିଜେଡି ସୁପ୍ରିମୋ ନବୀନ ଦଳୀୟ ଟିକେଟ ପ୍ରଦାନ କରିବେ ? ଦଳରେ ବରିଷ୍ଠ ନେତାଙ୍କୁ ଟିକେଟ୍ ମିଳିବ ନାଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଭଳି କିଛି ଯୁବ ନେତାଙ୍କୁ ଶଙ୍ଖ ଧରାଇବେ ନବୀନ । ଏଭଳି କିଛି ଉଲଟ ଫେର ମଧ୍ୟ ଦେଖିବାକୁ ମିଳିବ କିଛି ଅସମ୍ଭବ ନୁହେଁ । ତେବେ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବିରୋଧୀଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରାଇଛି ବିଜେଡି, ଯାହା ଆଗାମୀ ନିର୍ବାଚନ ପାଇଁ କି-ରୋଲ ସାଜିପାରିବ ବୋଲି ରାଜନୀତି ବିଶେଷଜ୍ଞ ଆକଳନ କରିଛନ୍ତି ।