ବଢିବ ଟେଷ୍ଟ କ୍ରିକେଟର କ୍ରେଜ, ଭାରତରେ ପ୍ରଥମ ଥର ପାଇଁ ହେବ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । କୋଲକାତାରେ ବାଂଲାଦେଶ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

246

ଆସନ୍ତାମାସରେ ଭାରତରେ ହେବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଆଉ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଦେଇଛି ଗ୍ରୀନ୍ ସିଗନାଲ । ଏନେଇ ବାଂଲାଦେଶ କୋଚ କହିଛନ୍ତି, ଇଡେନ ଗାର୍ଡେନରେ ଭାରତ ବିପକ୍ଷରେ ବଡ ମ୍ୟାଚ୍ ଖେଳିବାକୁ ଯାଉଛି ବାଂଲାଦେଶ । ପୂର୍ବରୁ ଟିମ୍ ଇଣ୍ଡିଆ କୌଣସି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିନଥିବା ବେଳେ ଏହା ଉଭୟ ଟିମ୍ ପାଇଁ ନୂଆ ଅନୁଭୂତି ଆଣିବ । ଆସନ୍ତା ନଭେମ୍ବର ୨୨ରେ କୋଲକାତାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ ।

ଏହାପୂର୍ବରୁ ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପ୍ରସ୍ତାବରେ ରାଜି ହୋଇନଥିଲା । ତେବେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଦାୟିତ୍ୱ ନେବା ପରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ କୋହଲିଙ୍କୁ ମନାଇଥିଲେ । ଏହାପରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡକୁ ପ୍ରସ୍ତାବ ପଠାଇଥିଲା ବିସିସିଆଇ । ଯାହାକୁ ମାନି ନେଇଥିଲା ବିସିବି ।

ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଦ୍ୱାରା ଖେଳ ଦେଖିବାକୁ ଅଧିକ ଦର୍ଶକ ଆସିବେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟରେ କମ ଦର୍ଶକ ଆସିଥିବାରୁ ନାରାଜ ହୋଇଥିଲେ କ୍ୟାପଟେନ କୋହଲି । ଏପରିକି ଟେଷ୍ଟ ମ୍ୟାଚ୍ ପାଇଁ ୫ଟି ଭେନ୍ୟୁ ସ୍ଥିର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତେବେ ଟେଷ୍ଟ କ୍ରିକେଟକୁ ପୁଣିଥରେ ଲୋକପ୍ରିୟ କରିବାକୁ ଗାଙ୍ଗୁଲି ଦିବାରାତ୍ର ଟେଷ୍ଟ ମ୍ୟାଚକୁ ବେଶି ଅଗ୍ରାଧିକାର ଦେଇଥିଲେ । ଯାହାକୁ ମାନି ନେଇଥିଲେ ବିରାଟ ।