ମୃତ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ମଚାରୀ: ଚନ୍ଦ୍ରଶେଖରପୁର ଥାନାରେ ପହଁଚିଲା ଅଭିଯୋଗ; ରୋଗୀ ସମ୍ପର୍କୀୟ କହିଲେ, ୧୨ ଟାରେ ଡାକ୍ତର କହିଥିଲେ ରୋଗୀ ମୃତ
ପୁଣି ଦିନ ୩ଟାରେ ଔଷଧ ପାଇଁ ଟଙ୍କା ଜମା କରିବାକୁ କହିଲେ ବିଲିଂ କର୍ମଚାରୀ
କନକ ବ୍ୟୁରୋ: ମୃତ ବ୍ୟକ୍ତିଙ୍କୁ ମେଡିସିନ ଦେବା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ତୃପକ୍ଷ । ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । କରୋନା ଆକ୍ରାନ୍ତଙ୍କୁ ଜବରଦସ୍ତ ଘରୋଇ ଡାକ୍ତରଖାନାରେ ରଖିଲେ, ଏବଂ ମୃତ୍ୟୁ ପରେ ବି ରୋଗୀଙ୍କୁ ଔଷଧ ଦେବା ପାଇଁ ସଂପର୍କୀୟଙ୍କୁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ମଚାରୀ । ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର ୬୨ ବର୍ଷିୟ ବ୍ୟକ୍ତି ଜୁଲାଇ ୨୨ ତାରିଖରେ ଶ୍ୱାସକ୍ରିୟ ଜନିତ ସମସ୍ୟା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କୁ କରୋନା ପଜିଟିଭ ଜଣାପଡିବା ପରେ ବି ସଂପୃକ୍ତ ଡାକ୍ତରଖାନା କର୍ତୃପକ୍ଷ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିନଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ମୃତକଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ଗତକାଲି ଦିନ ସାଢେ ୧୧ଟା ବେଳେ ଡାକ୍ତର କହିଲେ, ରୋଗୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଅଛି । ପରେ ଅଧଘଂଟାଏ ପରେ ଅର୍ଥାତ୍ ଦିନ ୧୨ଟାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛିଲେ । ପରେ ଦିନ ପ୍ରାୟ ୩ଟା ସୁଦ୍ଧା ହସ୍ପିଟାଲ ବିଲିଂ କାଉଂଟରରୁ ତାଙ୍କ ପାଖକୁ ଫୋନ ଆସିଥିଲା । ଏବଂ ଟଙ୍କା ଦେଲେ ବାପାଙ୍କୁ ଔଷଧ ଦିଆଯିବ ବୋଲି ସଂପୃକ୍ତ ବିଲିଂ କର୍ମଚାରୀ କହିଥିଲେ । ଯାହାକୁ ନେଇ ଘରୋଇ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ଉପରେ ତାଙ୍କର ସନ୍ଦେହ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଅଣକୋଭିଡ ହସ୍ପିଟାଲରେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଥିଲା । କରୋନା ପଜିଟିଭ ରିପୋର୍ଟ ଆସିବା ପରେ ବି କାହିଁକି ରୋଗୀଙ୍କୁ ବିଏମସି କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଗଲା ନାହିଁ ।