କାଲିଠୁ ‘କଂସରାଜ’: ଧନୁଯାତ୍ରାର ଧୁନରେ ଦୁଲୁକିବ ବରଗଡ । ବିଶ୍ୱର ବଡ ମୁକ୍ତାକାଶ ମଞ୍ଚକୁ ଓହ୍ଲାଇବେ କଂସ ମହାରାଜ, ଥରହର ହେବ ମଥୁରା ମାଟି…

142

କନକ ବ୍ୟୁରୋ: ରାତି ପାହିଲେ ମଥୁରାରେ ଚାଲିବ କଂସ ରାଜୁତି । ମହାରାଜ କଂସଙ୍କ ହସରେ କମ୍ପିବ ମଥୁରା ସମେତ ପୂରା ବରଗଡ । ଆଉ କଂସ ଦରବାରରେ ଚାଲିବ ମହାନାଟକ । କାରଣ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ବରଗଡରେ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ । ତେବେ ଆସନ୍ତାକାଲି ଧନୁଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଧନୁଯାତ୍ରା ପାଇଁ ଗୋପପୁରରେ ରୁପାନ୍ତିତ ହେଉଛି ଅମ୍ବାପାଲି । ଧନୁଯାତ୍ରା ପାଇଁ ସଜେଇ ହେଉଛି ପୁରା ଗାଁ ଓ ଗଳିକନ୍ଦି । ଧନୁଯାତ୍ରାରେ ସମସ୍ତଙ୍କ ଘରକୁ କୁଣିଆ ଆସିବେ ବୋଲି ଲିପା ପୋଛା କରି ଘରକୁ ସୁନ୍ଦର କରି ରଖିଲେଣି ଅମ୍ବାପାଲିବାସୀ । ସେପଟେ ଅମ୍ବାପାଲି ଗାଁ ଗୋପପୁର ହେଉଥିବାରୁ ପୂରା ଗାଁର କାନ୍ଥବାଡକୁ ଚିତ୍ରକଳାରେ ସଜେଇ ଦିଆଯାଉଛି । ଯେମିତି ଲାଗିବ ଇଏ ଅମ୍ବାପାଲି ନୁହେଁ ବରଂ ଦ୍ୱାପର ଯୁଗର ଗୋପପୁର ।

କାନ୍ଥ ଗୁଡ଼ିକରେ ଆଙ୍କା ଯାଉଛି କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାର ଚିତ୍ର । କେଉଁଠି କାଳୀୟ ଦଳନର ଚିତ୍ର, ତ ଆଉ କେଉଁଠି ଗୋରୁ ଚରାଇବାର ଦୃଶ୍ୟଦେଖିବାକୁ ମିଳୁଛି । ତେବେ ଏକପ୍ରକାର କହିବାକୁ ଗଲେ ବିଶ୍ୱ ପ୍ରସିନ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତ ହୋଇ ସାରିଛି ବରଗଡ଼ ଜିଲ୍ଲାର ଅମ୍ବାପାଲି ଗାଁ ।

ସେପଟେ ନୃତ୍ୟାଭିନୟ ପାଇଁ ରିହଲସଲରେ ମାତିଛନ୍ତି କୁନି କୁନି କଳାକାର । ନନ୍ଦଉତ୍ସବ ଠାରୁ ଆରମ୍ଭ କରି କୃଷ୍ଣଲୀଳାର ପ୍ରତିଟି ଦୃଶ୍ୟ କିପରି ଜୀବନ୍ତ ଭାବେ ପ୍ରଦର୍ଶିତ ହେବ ସେ ନେଇ କୃଷ୍ଣ, ବଳରାମ, ରାଧା ଆଦି ପ୍ରମୁଖ କଳାକାର ଜୋରଦାର ଅଭ୍ୟାସ କରିଛନ୍ତି । ତେବେ ମଞ୍ଚ ଚଢିବା ଆଗରୁ ଗୁରୁମାଆଙ୍କ ଆଶିର୍ବାଦ ନେଇଛନ୍ତି କଂସ ମହାରାଜ । ଏଥରର ଧନୁଯାତ୍ରା ଭଲରେ ଭଲରେ ହେଉ, ଏହି ଉଦ୍ଦେଶ୍ୟ ନେଇ ଗୁରୁମାଆଙ୍କ ଠାରୁ ଆଜ୍ଞାମାଳ ନେଇଛନ୍ତି କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ।