ବାହାଘରରେ ସୁନା ଦେବେ ସରକାର । ନୂଆବର୍ଷରୁ ବିବାହରେ ଉପହାର ସ୍ୱରୂପ ୧୦ ଗ୍ରାମ ସୁନା ଦେବେ ସରକାର, ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏହି ଯୋଜନା ଓ କଣ ରହିଛି ସର୍ତ୍ତ । 

671

୨୦୨୦ରେ ବିବାହ କରୁଥିବା ଝିଅଙ୍କ ପାଇଁ ଖୁସିଖବର । କାରଣ ସୁନା ଦେବେ ସରକାର । ବିବାହ କରୁଥିବା ଯୁବତୀଙ୍କୁ ଉପହାର ସ୍ୱରୂପ ୧୦ ଗ୍ରାମ ସୁନା ଦେବାକୁ ଯାଉଛନ୍ତି ସରକାର । ୨୦୨୦ ଜାନୁଆରୀ ୧ରୁ ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ସରକାର । ତେବେ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କିଛି ସର୍ତ୍ତ ପାଳନ କରିବାକୁ ପଡିବ । ତେବେ ଏହା ଦେଶର ସମସ୍ତ ରାଜ୍ୟ ନୁହେଁ କେବଳ ଆସାମରେ ଲାଗୁ ହେବାକୁ ଯାଉଛି ।

ଆସାମ ସରକାର ୧ ଜାନୁଆରୀରୁ ବିବାହ କରୁଥିବା ଯୁବତୀଙ୍କୁ ୧୦ ଗ୍ରାମ ସୁନା ଉପହାର ଦେବାକୁ ଯାଉଛନ୍ତି । ଗତମାସରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କିଛି ସର୍ତ୍ତ ପାଳନ କରିବା ଆବଶ୍ୟକ । ଏଥିପାଇଁ ବିବାହ ପଞ୍ଜୀକରଣ କରିବାକୁ ପଡିବ । ଏପରିକି ନବବଧୂ ଜଣକ ଅତି କମରେ ୧୦ମ ପର୍ଯ୍ୟନ୍ତ ପଢିବା ଆବଶ୍ୟକ । ସେହିଭଳି ଯୁବତୀଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥିବ ।

ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନାର ଲାଭ ଯୁବତୀଙ୍କୁ କେବଳ ପ୍ରଥମ ବିବାହରେ ମିଳିପାରିବ । ଦ୍ୱିତୀୟ ବିବାହ କଲେ ଏହାର ସୁବିଧା ମିଳିବନି । ତେବେ ବିବାହ ସମୟରେ ଯୁବତୀଙ୍କୁ ୧୮ ବର୍ଷ ଓ ଯୁବତୀଙ୍କୁ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଉପହାରରେ ସୁନାର କୌଣସି ହାର, ମୁଦି କିମ୍ବା କାନଫୁଲ ମିଳିବ ନାହିଁ । ବରଂ ବିବାହର ରେଜିଷ୍ଟ୍ରେସନ ପରେ ୩୦ ହଜାର ଟଙ୍କା ନବବଧୂଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଯେଉଁଥିରେ ସେମାନେ ନିଜ ପସନ୍ଦର ସୁନା ସାମଗ୍ରୀ କିଣିପାରିବେ । ତେବେ ୩୦ ହଜାର ଟଙ୍କାର ପୂରା ବିଲ୍ ମଧ୍ୟ ଡିପୋଜିଟ୍ କରିବାକୁ ପଡିବ । କାରଣ ଏହି ଟଙ୍କା ଯେପରି ଅନ୍ୟ କୌଣସି କାମରେ ବ୍ୟବହାର ନ ହୋଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।