ପଦାରେ ପଡିଛି ଖାଦ୍ୟ ସୁରକ୍ଷା ଆଇନର ଅସଲ ଚିତ୍ର : ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରିତ ଅତିଥି ବଣ୍ଡା ଦମ୍ପତିଙ୍କୁ ମିଳିନି ରାସନକାର୍ଡ

110

ମାଲକାନଗିରି : ହାଟରେ ପଡି ଦାଣ୍ଡରେ ଗଡୁଛି ଖାଦ୍ୟ ସୁରକ୍ଷା ଆଇନର ଅସଲ ଚିତ୍ର । ବଣ୍ଡା ଜନଜାତିଙ୍କୁ ମିଳୁନି ସରକାରୀ ଚାଉଳ । ଗତ ସାଧାରଣତନ୍ତ୍ର ଦିବସରେ ପ୍ରଧାନ ମନ୍ତ୍ରୀଙ୍କ ନିମନ୍ତ୍ରିତ ଅତିଥି ବଣ୍ଡା ଦମ୍ପତି ଧବଲୁ ଓ ସମାରୀ ଶିଶା ବି ରାସନକାର୍ଡରୁ ବାଦ ପଡିଛନ୍ତି ।ଧବଲୁ ଓ ସମାରୀଙ୍କ ସମେତ ଶହ ଶହ ବଣ୍ଡାମାନେ ଟଙ୍କାକିଆ ଚାଉଳ ଦାବି ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ, ଏ ଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ମାଲକାନଗିରି ବଣ୍ଡା ଘାଟିରେ ରୁହନ୍ତି ଆଦିମ ବଣ୍ଡା ଦମ୍ପତି ଧବଲୁ ଓ ସମାରୀ ଶିଶା । ଗତ ସାଧାରଣତନ୍ତ୍ର ଦିବସରେ ପ୍ରଧାନ ମନ୍ତ୍ରୀଙ୍କ ନିମନ୍ତ୍ରିତ ଅତିଥି ବଣ୍ଡା ଦମ୍ପତି ଦିଲ୍ଲୀ ଲାଲକିଲ୍ଲାରେ ଯୋଗ ଦେଇଥିଲେ । ବହୁ ଚାକ ଚକ୍ୟ ଢଙ୍ଗରେ ଏମାନଙ୍କୁ ଦିଲ୍ଲୀ ଦରବାର ସହ ରାଷ୍ଟ୍ରପତି ଭବନରେ ଉପସ୍ଥାପନ କରିଥିଲା ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ବିଭାଗ ।

ମୁଦୁଲିପଡା ପଂଚାୟତର ଦୁର୍ଗମ ବାଣ୍ଡିଗୁଡା ଗାଁରେ ରହୁଥିଲେ ହେଁ ଖଣ୍ଡେ ରାସନ କାର୍ଡ ଏଯାଏଁ ପାଇପାରି ନାହାନ୍ତି । ସରାକାରୀ ଚାଉଳ ମୁଠାଏ ପାଇବା ପାଇଁ ବାରଦ୍ୱାର ବୁଲୁଛନ୍ତି ଧବଲୁ ଓ ସମାରୀ । କେବଳ ଧବଲୁ ଓ ସମାରୀ ନୁହେଁ, ବାଣ୍ଡି ଗୁଡା ସମେତ ଆଖପାଖ ଗାଁର ଶହ ଶହ ପରିବାର ୧୦ ମାସ ହେବ ଚାଉଳ କିଲୋଟିଏ ବି ପାଇପାରି ନଥିବା ଅଭିଯୋଗ ହୋଇଛି । ଖଇରପୁଟ ବି.ଡି.ଓ ଙ୍କ ଠାରୁ ଆରମ୍ଭ କରି ପି.ଏଲ୍. ବି.ଡି.ଏ ଓ ପି.ଏ. ଆଇ.ଟି.ଡି.ଏ ଙ୍କୁ ଗୁହାରି ଜଣାଇଲେ ବି କିଛି ଲାଭ ନାହିଁ । ଏପରି ସ୍ଥଳେ ସମାରୀ ଓ ଧବଲୁଙ୍କ ଦିଲ୍ଲୀ ଡକରା କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ କରିଛନ୍ତି ବଣ୍ଡା ଦମ୍ପତି ।

ଆଦିମ ବଣ୍ଡା ଜନଜାତି ପ୍ରିମିଟିଭ ଟ୍ରାଇବ ଗ୍ରୁପ ଶ୍ରେଣୀ ଅନ୍ତର୍ଭୁକ୍ତ । ସମସ୍ତ ବଣ୍ଡା ପରିବାରଙ୍କୁ ଅନ୍ତୋଦୟ ଯୋଜନାରେ ମାସକୁ ୩୫ କିଲୋ ମାଗଣା ଚାଉଳ ଯୋଗାଇ ଦିଆ ଯିବାର ସୁବିଧା ରହିଛି । ହେଲେ ବଣ୍ଡା ଘାଟିର ଦୁଇଟି ପଂଚାୟତରେ ରହୁଥିବା ୧୮୨୦ ପରିବାର ମଧ୍ୟରୁ ୫୦୦ରୁ ଅଧିକ ପରିବାର ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଛନ୍ତି ।

ଖାଦ୍ୟ ସୁରକ୍ଷା ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଲାଗି ବର୍ଷେ ହେବ ଇ- ରାଶନ କାର୍ଡ ବ୍ୟବସ୍ଥା କରାଯାଇଛି । ତେବେ ଏ ବ୍ୟବସ୍ଥା ରାଜ୍ୟରେ କିଭଳି ଭାବରେ ପ୍ରଣୟନ ହେଉଛି ମାଲକାନଗିରିର ବଣ୍ଡା ଘାଟିର ଚିତ୍ର ବୟାନ କରୁଛି ।