ଆଜି ବି କଳବଲ କଲା ତାତି । ୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର । ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

146

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ବାରିପଦାରେ ୪୪.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳରେ ୪୪.୩ ଡିଗ୍ରୀ, ବୌଦ୍ଧରେ ୪୪.୧ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଢେଙ୍କାନାଳରେ ୪୩.୨ ଡିଗ୍ରୀ ରହିଛି । ଏହାସହ ୩୨ ସହରରେ ୪୦ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ୫ସହରରେ ଦିନ ତାପମାତ୍ରା ୪୪ଡିଗ୍ରୀ କିମ୍ବା ଅଧିକ ରହିଛି ।

  • ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ
  • ବାରିପଦା ରାଜ୍ୟର ଉତ୍ତପ୍ତ ସହର
  • ୨ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏପ୍ରିଲ ୧୮ ତାରିଖରୁ ଜାରି ରହିଥିବା ଭୀଷଣ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଯଦିଓ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହି ସ୍ଥିତି ଆଉ ୪-୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ମେ’ ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି ।

  • ମଙ୍ଗଳବାର ୯ ଜିଲ୍ଲାକୁ ରେଡ୍ ଆଲର୍ଟ
  • ବୁଧବାର ୬ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ଲହରୀ

ଆସନ୍ତା ୨ ଦିନ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ହିଟ୍ ୱେଭ୍ ମ୍ୟାପ୍ । ୩୦ ତାରିଖରେ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।