ରଥ ଉପରେ ଶ୍ରୀଜିଉଙ୍କୁ ସ୍ପର୍ଶ ଓ ଦର୍ଶନ ପ୍ରସଙ୍ଗ : ଜବାବ ରଖିବାକୁ ଶଙ୍କରାଚାର୍ଯ୍ୟଙ୍କୁ ହାଇକୋର୍ଟଙ୍କ ନୋଟିସ

25

କନକ ବ୍ୟୁରୋ : ରଥ ଉପରେ ଚଢି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ୨୦୧୫ ରଥଯାତ୍ରା ପୂର୍ବରୁ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉଚିତ କି ଅନୁଚିତ ବୋଲି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । କାରଣ, ୨୦୧୪ରେ ଶ୍ରୀଜିଉଙ୍କୁ ଛୁଇଁବା ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯାଇଥିଲା । ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ କହିଥିଲେ ଯେ , ଶ୍ରୀଜିଉଙ୍କୁ ଛୁଇଁବା ମହା ପାପ । ସେପଟେ ହାଇକୋର୍ଟ ମଧ୍ୟ କୌଣସି ଭକ୍ତ ରଥାରୁଢ ଠାକୁରଙ୍କୁ ଛୁଇଁପାରିବେନି ବୋଲି ରାୟ ଦେଇଥିଲେ । କିନ୍ତୁ ଶଙ୍କରାଚାର୍ଯ୍ୟ ରଥରେ ଶ୍ରୀଜିଉଙ୍କୁ ଛୁଇଁବା ସହ ପୂଜାର୍ଚ୍ଚନା କରିଥିଲେ । ଯଦି ସାଧାରଣ ଭକ୍ତ ଶ୍ରୀଜିଉଙ୍କୁ ଛୁଇଁପାରିବେନି ତେବେ ଶଙ୍କରାଚାର୍ଯ୍ୟ କେଉଁ ପରିସ୍ଥିତିରେ ଶ୍ରୀଜିଉଙ୍କୁ ଛୁଇଁଲେ ଏନେଇ ପ୍ରଶ୍ନ ଉଠିଥିଲା । ଏହା ପରେ ଶଙ୍କରାଚାର୍ଯ୍ୟଙ୍କୁ ଏନେଇ ଜବାବ ରଖିବାକୁ ନୋଟିସ ହୋଇଥିଲା । କିନ୍ତୁ ନୋଟିସର କିଛି ଉତର ଶଙ୍କରାଚାର୍ଯ୍ୟ ରଖିନଥିବାରୁ ପୁଣି ଥରେ ହାଇକୋର୍ଟ ତାଙ୍କୁ ନୋଟିସ କରିଛନ୍ତି ।