ବାଲେଶ୍ୱରର ବିଷ୍ଣୁପଦଙ୍କ ମୁହଁରେ ଫୁଟିଲା ହସ । କନକ ନ୍ୟୁଜର ଖବର ପ୍ରସାରଣ ପରେ ସହଯୋଗର ହାତ ବଢ଼ାଇଲେ ସୁବର୍ଣ୍ଣ ସମ୍ପର୍କ ପରିବାର ସଦସ୍ୟ, ମିଠା ଖୁଆଇ ପାଳିଲେ ଦୀପାବଳି ।

390

କନକ ବ୍ୟୁରୋ : ଦୀପାବଳି ଦିନ ବାଲେଶ୍ୱରର ବିଷ୍ଣୁପଦଙ୍କ ମୁହଁରେ ଫୁଟିଛି ହସ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଷ୍ଣୁପଦଙ୍କ ଆଡକୁ ସହଯୋଗର ହାତ ବଢ଼ାଇଛନ୍ତି ସୁବର୍ଣ୍ଣ ସମ୍ପର୍କ ପରିବାର ସଦସ୍ୟ । ପରିବାରର ସମସ୍ତଙ୍କୁ ମିଠା ଖୁଆଇ ଦୀପାବଳି ପାଳିଛନ୍ତି । ଏହାସହ ସମସ୍ତଙ୍କ ପାଇଁ ନୂଆ ପୋଷାକ ଦେଇଛନ୍ତି । ଏକକାଳୀନ ୨୦ହଜାର ଟଙ୍କା ଦେବା ସହ ମାସିକ ହଜାରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।

ବାଲେଶ୍ୱରର ବାଳିଆପାଳ ବ୍ଳକ ଲଙ୍ଗଳେଶ୍ୱର ଗାଁର ବିଷ୍ଣୁପଦ ବେହେରା । ଦିନେ ଯିଏ ବସ ଚଳାଇ ଶହ ଶହ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଁଚାଇ ସେମାନଙ୍କ ମୁହଁ ହସ ଫୁଟାଉଥିଲେ, ଦୁଇ ଆଖି ହରାଇବା ପରେ ଅନ୍ଧାର ହୋଇଯାଇଥିଲା ତାଙ୍କ ଦୁନିଆ । ସ୍ତ୍ରୀ ସୁକାନ୍ତି, କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା ପରିବାର ଉପରେ । କନକ ନ୍ୟୁଜରେ ଏହି ଦୁଃଖ କାହାଣୀ ପ୍ରସାରଣ ପରେ ବିଷ୍ଣୁପଦଙ୍କ ନିକଟକୁ ବଢ଼ିଛି ସହାୟତାର ହାତ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଘରେ ଖୁସିର ଲହରି ଖେଳିଯାଇଛି । ଆଲୋକର ପର୍ବ ଦୀପାବଳି ଅବସରରେ ବିଷ୍ଣୁପଦଙ୍କ ପରିବାର ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି ସୁବର୍ଣ୍ଣ ସଂପର୍କ ପରିବାର ।

ପରିବାରର ସମସ୍ତଙ୍କୁ ମିଠା ଖୂୁଆଇ ସମସ୍ତଙ୍କୁ ନୂଆ ଲୁଗା ପିନ୍ଧାଇ ଖୁସି ବାଂଟିଛନ୍ତି ସୁବର୍ଣ୍ଣ ସଂପର୍କ ପରିବାର । ବିଷ୍ଣୁପଦଙ୍କ ପରିବାର ସହ ଦୀପାବଳି ମଧ୍ୟ ପାଳନ କରିଛନ୍ତି । କେବଳ ସେତିକି ନୁହେଁ, ୨୦ ହଜାର ଟଙ୍କା ଦେବା ସହ ମାସିକ ଏକ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି । ସବୁ ପରିସ୍ଥିତିରେ ପରିବାର ସହ ଛିଡ଼ା ହେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସୁବର୍ଣ୍ଣ ସଂପର୍କ ପରିବାରର ସଦସ୍ୟମାନେ । ଅନୁଷ୍ଠାନରେ ଏହି ପ୍ରୟାସରେ ବିଷ୍ଣୁପଦଙ୍କ ପରିବାର ଲୋକଙ୍କ ଆଖିରୁ ଖୁସିର ଲୁହ ଝରି ପଡ଼ିଛି ।