ଜୁନିୟର ମୟୂର ମଣିଷ । ଯାହାଙ୍କ ଡାକ ଶୁଣିଲେ ନରାଜ ଜଙ୍ଗଲ ମଧ୍ୟରୁ ଧାଇଁ ଆସନ୍ତି ମୟୂର, ଜେଜେଙ୍କ ପରେ ଏବେ ନାତି ସାଜିଛନ୍ତି ଅନ୍ନଦାତା । ମନଲୋଭ ଦୃଶ୍ୟ ଦେଖିବାକୁ ସୁଦୂର ମୁମ୍ବାଇରୁ ଆସିଥିଲେ ବଲିଉଡ ଗାୟିକା ଆଶା ଭୋସଲେ ।

850

କନକ ବ୍ୟୁରୋ : ସେ ଆ କହିଲେ ଆସୁଛନ୍ତି, ଯା କହିଲେ ଯାଉଛନ୍ତି । ଆଉ ଖାଇବା ଦେଲେ ହାତରୁ ଖାଉଛନ୍ତି । ମୟୂରଙ୍କ ଅନ୍ନଦାତା ସାଜିଥିବା ଏ ମଣିଷ ଜଣଙ୍କ ହେଉଛନ୍ତି କାହ୍ନୁ ବେହେରା । ପିକକ୍ ଭ୍ୟାଲିର ଜୁନିୟର ମୟୁର ମଣିଷ । ଯିଏ ସକାଳରୁ ସଞ୍ଜ ମୟୂରଙ୍କ ସାଙ୍ଗେ ରୁହନ୍ତି, ମୟୂରଙ୍କ ସେବା କରନ୍ତି । ତାଙ୍କ ଡାକରେ ମୟୂର ଆସନ୍ତି, ତାଙ୍କୁ ଦେଖିଲେ ମୟୂର ନାଚନ୍ତି । ମୟୂର-ମଣିଷଙ୍କ ଏ ନିଆରା ସମ୍ପର୍କ ଦେଖିବାକୁ କଟକ ନରାଜରେ ଜମେ ଲୋକଙ୍କ ଭିଡ ।

୧୯୯୯ ମହାବାତ୍ୟା ପରେ ନରାଜରେ ପ୍ରଥମେ ଗୋଟିଏ ମୟୂର ଦେଖିଥିଲେ ଜେଜେ ପାଣୁ ବେହେରା । ପୋଲିସ ବିଭାଗରେ ଚାକିରି କରୁଥିବା ପାଣୁ ପ୍ରଥମେ ଏଥିପ୍ରତି ଧ୍ୟାନ ଦେଇନଥିଲେ । କିନ୍ତୁ ପ୍ରତିଦିନ ଯିବା ବାଟରେ ମୟୂର ଆସୁଥିବାର ଦେଖିବା ପରେ ଖାଇବା ଦେବା ଆରମ୍ଭ କରିଥିଲେ ପାଣୁ । ଆଉ ଖୁବ୍ କମ ଦିନ ମଧ୍ୟରେ ନରାଜ ଠାରେ ଶହ ଶହ ସଂଖ୍ୟାରେ ମୟୂରଙ୍କ ମେଳି ଦେଖିବାକୁ ମିଳିଲା । ଆଉ ଜେଜେ ପାଣୁଙ୍କ ସହ ମୟୂରଙ୍କର ସମ୍ପର୍କ ସେବେଠାରୁ ବୋଲି କହନ୍ତି ନାତି କାହ୍ନୁ ।

ମୟୂର ମଣିଷ ପାଣୁ ବେହେରାଙ୍କ ପରେ ଏବେ କାହ୍ନୁଙ୍କ ଉପରେ ମୟୂରଙ୍କ ଦାୟିତ୍ୱ । ୨୦୧୭ରେ ପାଣୁଙ୍କ ଦେହାନ୍ତ ପରେ ଦୀର୍ଘ ୨ ବର୍ଷ ହେବ ମୟୂରଙ୍କ ସାହା ଭରସା ସାଜିଛନ୍ତି ପାଣୁଙ୍କ ନାତି କାହ୍ନୁ । ଭୋର ୫ଟା ୩୦ରୁ ଏକାଧିକ ମୟୂରଙ୍କୁ ସେ ଖାଇବାକୁ ଦେଉଥିବା ବେଳେ ପୁଣି ସନ୍ଧ୍ୟା ବେଳେ ମଧ୍ୟ ସେମାନଙ୍କୁ ଖାଇବାକୁ ଦିଅନ୍ତିି । ତେବେ ମୟୂରଙ୍କ ଖାଦ୍ୟ ପାଇଁ ଦିନକ ପ୍ରାୟ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ ହୁଏ ଯାହାକୁ ନିଜେ ବହନ କରନ୍ତି କାହ୍ନୁ । ସେପଟେ ଏଠାକୁ ଆସୁଥିବା ଲୋକେ କାହ୍ନୁଙ୍କ ମୟୂର ପ୍ରେମ ଦେଖି ତାଙ୍କୁ ଯେଉଁ ଟଙ୍କା ଦିଅନ୍ତି ସେଥିରେ ସେ ଖାଦ୍ୟ ଆଣନ୍ତି । ମାତ୍ର ଦୀର୍ଘ ଦିନ ହେବ କାହ୍ନୁଙ୍କ ପରିବାର ମୟୂରଙ୍କ ସେବା କରି ଆସୁଥିଲେ ହେଁ ଏଯାଏଁ ସରକାରଙ୍କ ତରଫରୁ ତାଙ୍କୁ କୌଣସି ସହାୟତା ମିଳିନାହିିଁ ।

ମୟୁର-ମଣିଷର ଏ ସମ୍ପର୍କର କାହାଣୀ ଶୁଣି ଖାଲି ସାଧାରଣ ମଣିଷ ନୁହଁନ୍ତି ବରଂ ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସଲେ ମଧ୍ୟ ଏହି ସ୍ଥାନକୁ ବୁଲି ଆସିଥିଲେ । ପିକକ୍ ଭ୍ୟାଲି ଏବଂ କାହ୍ନୁଙ୍କ ବିଷୟରେ ଜାଣିବା ପରେ ସେ କାହ୍ନୁଙ୍କ ଭେଟିଥିଲେ । ଯାହା ଏକ ଅଭୁଲା ସ୍ମୁତି ବୋଲି କାହ୍ନୁ କହିଛନ୍ତି । ତେବେ ସରକାର ପିକକ ଭ୍ୟାଲିର ଉନ୍ନତିକରଣ କରି ଏହାକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାନ୍ତୁ ବୋଲି ଲୋକେ ଦାବି କରିଛନ୍ତି ।