ଆଜିଠୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ! ତଳ ଉପର ପଡିଆରେ ପସରା ମେଲେଇ ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

62

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି କଟକର ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀ ପଠାରେ ଚାଲିବ କଟକର ଏହି ଐତିହାସିକ ବାଲିଯାତ୍ରା । ରଙ୍ଗୀନ ଆଲୋକମାଳାରେ ମୁଖ୍ୟ ତୋରଣ ଝଲସୁଥିବା ବେଳେ ମୀନା ବଜାରରେ ଲାଗି ସାରିଲାଣି ଦୋଳି । ପଡିଆରେ ବିଭିନ୍ନ ଫୁଡ୍ ଷ୍ଟଲ ବି ପ୍ରସ୍ତୁତ ହୋଇଗଲେଣି । ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ପୋଲିସ । ବାଲିଯାତ୍ରାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ବାଲିଯାତ୍ରାରେ ପରିଷ୍କାର ପରିଚ୍ଛନତାକୁ ଗୁରୁତ୍ୱ ଦିଆଯାଇଛି । ପଡିଆରେ ପ୍ରତିଦିନ ଦୁଇଥର ସଫେଇ ସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲାଗିଛି ।

ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆ କା ମା ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ । ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ ।