ଯାତାୟତ ପାଇଁ ଡଙ୍ଗା ଭରସା ! ବାଲେଶ୍ୱର ପଂଚୁପଡାରେ ଜମି ବିବାଦରୁ ଅଟକିଛି ୨୧୦୦କୋଟି ଟଙ୍କାର ପ୍ରକଳ୍ପ

30

କନକ ବ୍ୟୁରୋ : ଯାତାୟତ ପାଇଁ ଡଙ୍ଗା ଭରସା । ବାଲେଶ୍ୱରରେ ପଂଚୁପଡା ସେତୁ ନିର୍ମାଣ ପାଇଁ ଦୁଇ ଥର ଶିଳାନ୍ୟାସ ସରିଛି, କିନ୍ତୁ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ୨୧୦୦କୋଟି ଟଙ୍କାର ଏହି ପ୍ରକଳ୍ପ ଜମି ବିବାଦ ପାଇଁ ଅଟଳି ରହିଛି । ପୋଲ ନିର୍ମାଣ ହୋଇପାରୁନାହିଁ ଫଳରେ ଯାତାୟତ ପାଇଁ ଡଙ୍ଗା ହିଁ ପାଲଟିଛି ଭରସା । ଜମି ବିବାଦ କାରଣରୁ ୨୧୦୦କୋଟି ଟଙ୍କାର ଏହି ପ୍ରକଳ୍ପ ଅଟଳି ରହିଛି । ବାଲେଶ୍ୱରର ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର ଲକ୍ଷାଧିକ ଲୋକଙ୍କୁ ବାଲେଶ୍ୱର ସହରକୁ ଆସିବା ପାଇଁ ହେଲେ ନଦୀ ପାରି କରିବାକୁ ପଡେ । ନଚେତ ଅଧିକ ୪୦କିଲୋମିଟର ଯାତ୍ରା କରିବାକୁ ପଡେ । ଏପରିକି ଦୈନନ୍ଦିନ ସ୍କୁଲ ଓ ସ୍ୱାସ୍ଥ୍ୟ ସେବା ପାଇଁ  ଡଙ୍ଗା ଭରସାରେ ନଦୀ ପାରି କରିବାକୁ ପଡୁଛି ।

ପଂଚୁପଡାରେ ତିଆରି ହେଉଥିବା ପୋଲର ନିର୍ମାଣ କାମ ଡିସେମ୍ବର ୨୦୧୭ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯାଦେଶ ହୋଇଛି । କିନ୍ତୁ ଜମି ବିବାଦ କାରଣରୁ ଏହି କାମ ଅଧାରେ ଅଟକି ରହିଛି । ୧୫୦ମିଟର ଲମ୍ବର ସେତୁ ଓ ୧୧୦୦ଶହ ମିଟର ଲମ୍ବର ଆପ୍ରୋଚ ରୋଡ ରହିଛି । ପୋଲ ନିର୍ମାଣ କାମ ସରିଥିବା ବେଳେ ସୋଲପଟା ଆଡୁ ୬୪୦ମିଟର ଓ ପଂଚୁପଡା ଆଡୁ ୨୯୦ମିଟର କାମ ସରିଛି । ମାତ୍ର ୧୫୦ମିଟର କାମ ଅଟକିଛି ଜମି ବିବାଦ ପାଇଁ । ଜମି ମାଲିକ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପୂର୍ତ ବିଭାଗ ଅଧିକାରୀଙ୍କ କହିବା କଥା ହେଲା, କୋର୍ଟରେ ମାମଲାର ଶୁଣାଣୀ ସରିବା ପରେ ବାକି ଥିବା କାମ ସମ୍ପୂର୍ଣ୍ଣ କରାଯିବ ।

ପ୍ରଥମେ ୧୯୮୮ଡିସେମ୍ବର ଓ ପରେ ପୁଣି ୨୦୧୪ ଫେବୃୟାରୀରେ ଏହି ସେତୁ ପାଇଁ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇଛି । ୨୧୦୦କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇ ଅଧପନ୍ତରିଆ ହୋଇପଡିରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।