ମହାନଦୀ ବିବାଦରେ ନୂଆ ତଥ୍ୟ ! ଆରଟିଆଇ ତଥ୍ୟ ଅନୁଯାୟୀ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା

37

କନକ ବ୍ୟୁରୋ : ମହାନଦୀ ବିବାଦରେ ନୂଆ ତଥ୍ୟ ଆଗକୁ ଆସିଛି । ମହାନଦୀ ଜଳବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ତଥ୍ୟ ଦାଖଲ କରିଥିଲେ ସୁଦ୍ଧା କୌଣସି ତଥ୍ୟ ରାଜ୍ୟ ଦାଖଲ କରିନଥିବା ନେଇ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆରଟିଆଇରୁ ତଥ୍ୟ ମିଳିଛି । କନକ ନ୍ୟୁଜର ହସ୍ତଗତ ହୋଇଛି ଏହି ଆରଟିଆଇ ତଥ୍ୟ । ମହାନଦୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । କହିଲେ, ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର କୌଣସି ତଥ୍ୟ ଦେଉନାହାନ୍ତି । ତେଣୁ ଟ୍ରିବ୍ୟୁନାଲ ଗଠନ କରାଯାଇ ପାରିବ ନାହିଁ ।

ଆରଟିଆଇରୁ ମିଳିଥିବା ଏହି ଦସ୍ତାବିଜ କହୁଛି ରାଜ୍ୟ ସମସ୍ତ ତଥ୍ୟ କେନ୍ଦ୍ର ନିକଟରେ ଦାଖଲ କରିଛି । ଓଡିଶା ଏସବୁ ତଥ୍ୟ ନିଜ ଆଡୁ ୨୦୧୬ରୁ ପ୍ରଦାନ କରି ସାରିଛି । ତେବେ ସେପ୍ଟେମ୍ବର ୨୦୧୬ରେ ମହାନଦୀକୁ ନେଇ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ହୋଇଥିବା ବୈଠକରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସଚିବ ଉପସ୍ଥିତ ଥିଲେ । ତେବେ ସେଠାରେ ଓଡିଶା ମହାନଦୀକୁ ନେଇ ନିଜର ବିସ୍ତୃତ ତଥ୍ୟ ଉପସ୍ଥାପିତ କରିଥିଲା । ସେହିପରି ଅଧିକ ତଥ୍ୟ ସଂଗ୍ରହ ପାଇଁ ତ୍ରୀପାକ୍ଷିକ ଆଲୋଚନାରେ କେନ୍ଦ୍ର ସରକାର ନେସନାଲ ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲୋଜି ରୁରକିକୁ ଦାୟୀତ୍ୱ ଦେଇଥିବା ନେଇ ଆରଟିଆଇରୁ ତଥ୍ୟ ମିଳିଛି ।

ଏହାସହ ସ୍ୱତନ୍ତ୍ର ଦାୟୀତ୍ୱରେ ଥିବା ଆଇଏସ ଅମରଜିତ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ନିର୍ମାଣଧୀନ ତଥା ନିର୍ମାଣ ହୋଇଥିବା ସବୁ ବ୍ୟାରେକ ଉପରେ ବିସ୍ତୃତ ବିବରଣି ଦେବା ପାଇଁ ନିଷ୍ପତି ହୋଇଥିଲା । କେବଳ ଏତିକି ନୁହେଁ, ମହାନଦୀ ବେସିନରେ କେତେ ପାଣି ପ୍ରବାହ ହେଉଛି ତା ଉପରେ ତଥ୍ୟ ଦେବାକୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ହେଲେ ଏଯାଏଁ କେନ୍ଦ୍ର ଦ୍ୱାର ନିଯୁକ୍ତ କମିଟି ତଥା ସଂସ୍ଥା ମହାନଦୀ ସର୍ମ୍ପକୀୟ କୌଣସି ତଥ୍ୟ ଦେଇ ନଥିବା ଜଣାପଡିଛି । ୨୦୧୬ ନଭେମ୍ବର ୧୯ ତାରିଖରେ ଟ୍ରିବୁନାଲ ଗଠନ କରିବାକୁ ଆବେଦନ କରିଥିଲେ ଓଡିଶା ସରକାର । ପ୍ରଥମେ ଓଡ଼ିଶା କୌଣସି ତଥ୍ୟ ଦାଖଲ କରିନଥିବା କହିଥିଲା କେନ୍ଦ୍ର ଏବଂ ପରେ ଓଡ଼ିଶା ଓ ଛତିଶଗଡ ଆପୋଷ ବୁଝାମଣା କରନ୍ତୁ ବୋଲି କହିଛି କେନ୍ଦ୍ର ।