ଫୁଲୁଛି ବୈତରଣୀ, ସୁବର୍ଣ୍ଣରେଖା ! ବିପଦରେ କେନ୍ଦୁଝର, ଯାଜପୁର ଓ ଭଦ୍ରକ

70

କନକ ବ୍ୟରୋ: ବୈତରଣୀ ଆଣୁଛି ବିପଦ । ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଲାଗି ରହିଲେ ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ । ଭଦ୍ରକର ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେହିପରି ସୁବଣ୍ଣରେଖା, ଜଳକାରେ ବି ଆସନ୍ନ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜଳସ୍ତର ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି ।

ସେପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସାରେ ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବନ୍ୟାରେ ସବୁଠାରୁ ପ୍ରଭାବିତ ହେବାକୁ ଥିବା କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜିଲ୍ଲାର ପ୍ରମୁଖ ନଦୀର ଜଳସ୍ତର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୩ଟି ଜିଲ୍ଲାରେ ୬୦ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକ ପଡିଲେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବୈଠକ ଶେଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ବ୍ଲକ, ତହସିଲ, ପଂଚାୟତ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦୁଝରରେ ଏନଡିଆରଏଫ୍ ଟିମ୍ ପହଁଚିଛନ୍ତି । ସେହିଭଳି ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପାୱାରବୋଟ୍ ମହଜୁଦ୍ ରଖାଯାଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ପାଇଁ ୪ଶହରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ସହ ୬ଡେପୁଟି ଫାୟାର ଅଫିସରଙ୍କୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।

ସେହିପରି ସମ୍ଭାବ୍ୟ ବନ୍ୟା ନେଇ ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡେପୁୁଟି ରିଲିଫ୍ କମିସନର । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼, ଯାଜପୁର, ଢେଙ୍କାନାଳ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବର୍ଷା ପାଣି ଜମିବା ସମ୍ଭାବନା ଥିବାରୁ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଶାସନକୁ ସତର୍କ କରେଇ ଦିଆଯାଇଛି ।