ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ! ବାପାଙ୍କ ଶୁଦ୍ଧିକ୍ରିୟା ପରେ ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫା ପତ୍ର ।

41

କନକ ବ୍ୟୁରୋ :  ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା । ଏନେଇ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଇସ୍ତଫାପତ୍ର ପଠାଇଥିବା ଟ୍ୱିଟ ଜରିଆରେ ଜଣାଇଛନ୍ତି ବୈଜୟନ୍ତ । ପୂର୍ବରୁ ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା କଥା ନବୀନଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ବୈଜୟନ୍ତ । ଏପରିକି ବାପାଙ୍କ ଶୁଦ୍ଧକ୍ରିୟା ପରେ ଲୋକସଭା ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇବା ପାଇଁ ନବୀନଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ବୋଲି କହିଛନ୍ତି ଜୟ ପଣ୍ଡା ।

ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି, ବାପାଙ୍କ ଶୁଦ୍ଧିକ୍ରିୟା ପରେ ମୁଁ ବାଚସ୍ପତିଙ୍କୁ ଭେଟିବା ପାଇଁ ଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ । କାରଣ ଲୋକସଭା ବାଚସ୍ପତି ବିଦେଶଗସ୍ତରେ ଥିବାରୁ ତାଙ୍କ ସହିତ ସାକ୍ଷାତ କରିବା ସମ୍ଭବ ହୋଇ ନାହିଁ । ତେଣୁ ମୁଁ ବାଚସ୍ପତିଙ୍କ ନିକଟକୁ ଚିଠି ମାଧ୍ୟମରେ ମୋ ଇସ୍ତଫା ପତ୍ର ଦେଇଛି ।ଏହାପୂର୍ବରୁ ଗତ ମେ ୨୮ ତାରିଖ ଦିନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ ପଣ୍ଡା । ବିଜେଡ଼ି ସୁପ୍ରିମୋଙ୍କୁ ଏନେଇ ଚିଠି ମାଧ୍ୟମରେ ଅବଗତ କରିଥିଲେ ବୈଜୟନ୍ତ ।

ବୈଜୟନ୍ତଙ୍କ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ଶେଷ ଦର୍ଶନ ପାଇଁ କୌଣସି ବିଜେଡି ନେତା ନ ଆସିବା ତାଙ୍କୁ ବେଶ ବାଧିଛି ବୋଲି ଚିଠିରେ ଉଲ୍ଲେଖ କରି କ୍ଷୋଭ ପ୍ରକାଶ କରିଥିଲେ ବୈଜୟନ୍ତ । ଏହାସହ ବିଜୁ ଜନତା ଦଳ ଗତ କିଛି ବର୍ଷ ଧରି ତାଙ୍କୁ ଅଣଦେଖା କରୁଛି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଜରିଆରେ ଜଣାଇଥିଲେ ବୈଜୟନ୍ତ । ପ୍ରଥମେ ଦଳରୁ ଇସ୍ତଫା ଏବେ ଲୋକସଭା ସାଂସଦ ଭାବେ ଇସ୍ତଫା ଦେଇ ବିଜେଡିକୁ ପୁରା ମନରୁ ପାସୋରି ଦେଇଥିବା ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ବୈଜୟନ୍ତ । ତେବେ ବୈଜୟନ୍ତ ଆଗକୁ କେଉଁ ଦଳରେ ଯୋଗ ଦେବେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।