କରୋନା ବେଳେ ଦାଉ ସାଧୁଛି ପ୍ରାକୃତିକ ବିପର୍ଯ୍ୟୟ, ଆସାମ୍‌ରେ ବନ୍ୟା ଯୋଗୁଁ ୭୦ ଲକ୍ଷ ପ୍ରଭାବିତ; ବନ୍ୟା‌ଜନିତ ମୃତ୍ୟୁସଂଖ୍ୟା ୮୫କୁ ବୃଦ୍ଧି

ବିହାରରେ ବଜ୍ରପାତରେ ୧୬ ଜୀବନ ଗଲା, ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା : ୩ ମୃତ , ୧୧ ନିଖୋଜ

92

କନକ ବ୍ୟୁରୋ : ଗୌହାଟୀ, ପାଟନା, ଡେରାଡୁନ୍‌: କରୋନା ମହାମାରୀ ସମୟରେ ପ୍ରାକୃତିକ ବିପର୍ୟ୍ୟୟ ଦାଉ ସାଧୁଛି। ପ୍ରାକୃତିକ ବିପର୍ୟ୍ୟୟ ଯୋଗୁଁ ଦେଶରେ ଅନେକ ଜୀବନ ହାନୀ ହେଉଛି । ଆସାମ୍‌ରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଜନିତ କାରଣ ପାଇଁ ପୁଣି ୬ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା‌ଜନିତ ମୃତ୍ୟୁସଂଖ୍ୟା ୮୫କୁ ବୃଦ୍ଧି ପାଇଥିବାବେଳେ ଭୂସ୍ଖଳନ ଯୋଗୁଁ ମଧ୍ୟ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ କହିଛନ୍ତି, ଗୋଟିଏ ପ‌ଟେ ଲୋକମାନେ କରୋନା ମହାମାରୀ ଭଳି ସମସ୍ୟା ସାମ୍ନା କରୁଛନ୍ତି ଅନ୍ୟପକ୍ଷେ ବନ୍ୟା ବିପର୍ଯ୍ୟୟ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ତଥାପି ଲୋକମାନେ ଏହି ଲଢ଼େଇ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ହୋଇ ଯାଇଛନ୍ତି । ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲା ଅଧୀନସ୍ଥ ଦୁଇଟି ଗ୍ରାମରେ ବର୍ଷାଜଳ ଅତି ଭୟଙ୍କର ସ୍ଥିତି ଉପୁଜାଇଥିଲା । ବିହାରରେ ମଧ୍ୟ ବଜ୍ରପାତ ଯୋଗୁଁ ପୁଣି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ଗତ ୩ ସପ୍ତାହ ମଧ୍ୟରେ ୧୬୦ରୁ ଅଧିକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ ଗତ ଜୁନ୍‌ ୨୫ ତାରିଖରେ ୨୩ ଟି ଜିଲ୍ଲାରେ ୮୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିଲା । ଗତକାଲି ଦିଲ୍ଲୀରେ ୨ ଘଣ୍ଟାର ଲଗାଣ ବର୍ଷାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।

Comments are closed.