କନକ ବ୍ୟୁରୋ : ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଅନ୍ତିମ ସଂସ୍କାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷ କୃତ୍ୟ କରାଯିବ । ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ହେବ ଶେଷ କୃତ୍ୟ । ତାଙ୍କର ବାସଭବନକୁ ଡାକ୍ତରଖାନାରୁ ଆସିବ ମରଶରୀର । ରବିବାର ରାତିରେ ତାଙ୍କର ପରଲୋକ ହୋଇଛି । ବେଶ୍ କିଛି ଦିନ ହେବ ଅସୁସ୍ଥ ଥିବା ବିଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ । ହେଲେ କିଛି ସମୟ ଚିକିତ୍ସା ପରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଶରୀର ଅସୁସ୍ଥ ରହୁଥିବାରୁ କିଛି ମାସ ହେଲା ସେ ଅଭିନୟ ଠାରୁ ଦୂରେଇ ରହିଥିଲେ । ଗତ ମେ ୨୫ ତାରିଖରେ ଝିଅ ପାଖରେ ଥିବାବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇଥିଲା ।

Advertisment

ତେବେ ଓଡିଶା ଫେରି ଆସିବାକୁ ଇଛା ପ୍ରକାଶ କରିବାରୁ ଜୁନ୍ ୧୩ ରେ ତାଙ୍କୁ ଓଡିଶା ଅଣାଯାଇଥିଲା । ସେବେ ଠୁ ସେ ଭୁବନେଶ୍ୱରରେ ରହୁଥିଲେ । ବିଭିନ୍ନ ଭୂମିକାରେ ଶତାଧିକ ଚଳଚିତ୍ରରେ ଅଭିନୟ କରି ଓଡିଆ ଦର୍ଶକଙ୍କ ମନ ଜିଣିପାରିଥିଲେ । ତାଙ୍କର ବିୟୋଗରେ ଓଡିଆ ଚଳଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି । ଦୀର୍ଘ ୪ ଦଶନ୍ଧି ଧରି ନିଜ ଅଭିନୟ ଯାଦୁରେ ଓଡିଆ ଚଳଚିତ୍ର ପ୍ରେମୀଙ୍କୁ ବାନ୍ଧି ରଖିଥିବା ଅଭିନେତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।