ପୁରୀ ପାଇଁ ଗୋଟେ ନିୟମ… ଏକାମ୍ରକ୍ଷେତ୍ର ପାଇଁ ଆଉ ଗୋଟେ?

ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ନିଆଯାଇଥିବାବେଳେ, ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇ ନାହିଁ ।

304

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡିଶାର ସାଂସଦମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ନିଆଯାଇଥିବାବେଳେ, ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇ ନାହିଁ । ଏହା ଜଣାପଡିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେମାନଙ୍କ କହିବା ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ ୧୨ ମାସରେ ୧୩ ଯାତ୍ରା ଖଂଜା ହୋଇଛି । ଏହିସବୁ ଯାତ୍ରାରେ ପ୍ରଭୁ ଲିଙ୍ଗରାଜ, ମନ୍ଦିର ନିକଟରେ ଥିବା ମନ୍ଦିରଗୁଡିକୁ ଯାତ୍ରା କରନ୍ତି । ସେଥିପାଇଁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି । ଏପରିକି ସେବାପୂଜା ସୁରୁଖୁରୁରେ କରିବା ପାଇଁ ସେବାୟତ ସାହିଗୁଡିକ ମନ୍ଦିର ପାଖରେ ଗଢିଉଠିଛି । ଯେହେତୁ ପ୍ରାସ୍ତାବିତ ବାଇ-ଲ’ ଅନୁସାରେ ମନ୍ଦିରର ୩ଶହ ମିଟର ପରିଧି ଏକପ୍ରକାର କଟରଣା ଅଂଚଳ ଭାବେ ଚିହ୍ନଟ ହେବ । ଏବଂ ଏନଏମଏର ବିନା ଅନୁମତିରେ ଏଠାରେ ବିକାଶ କାମ ହୋଇପାରିବ ନାହିଁ । ତେଣୁ ସେବାୟତ ପରିବାର ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରୁଛନ୍ତି । କେନ୍ଦ୍ରର ନିଷ୍ପତି ପ୍ରତ୍ୟାହାର ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ଏକାମ୍ର କ୍ଷେତ୍ରରେ ପୁରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା । ଟ୍ୱିଟ କରି ସେ କହିଛନ୍ତି, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ଆଉ ଭୁବନେଶ୍ୱର ସାଂସଦଙ୍କ ନୀରବତା ତାଙ୍କ ମୁଖା ଖୋଲିଦେଇଛି । ଯେଉଁମାନେ ଏକାମ୍ରକ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି, ଭୁବନେଶ୍ୱରବାସୀ ତାଙ୍କୁ କେବେ କ୍ଷମା ଦେବେନାହିଁ । ଅଶୋକ ପଣ୍ଡାଙ୍କର ଏହି ଟ୍ୱିଟ ଦର୍ଶାଉଛି, ଆଗାମୀ ଦିନରେ ମାମଲା ରାଜନୈତିକ ବାଦ ବିବାଦ ଭିତରକୁ ଆସିପାରେ ।