ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ : କେନ୍ଦ୍ର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ।

88

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା କମିଛି । ଏହାରି ଭିତରେ କରୋନା ଟୀକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟୀକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ । ଏଯାଏଁ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେମ।।ନଙ୍କ ପାଇଁ ଦ୍ୱିତୀୟ ଡୋଜ ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ । ଦେଶର ମୋଟ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି । ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ଏପଟ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଅବଧି ବଢିବାର ସୂଚନା ମିଳିଛି । ଯେତିକି ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ପଂଜୀକୃତ ହୋଇଛନ୍ତି ସେଥିରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇସାରିଲେଣି । ତଥାପି ଆହୁରି ୬୯ ହଜାର ୩୧୪ ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ରହିଛନ୍ତି । ଆଜି ଟୀକାକରଣର ଶେଷ ଦିନ ଥିବା ବେଳେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ଦିନରେ ଟୀକା ଦେବା ଅସମ୍ଭବ । ତେଣୁ ଅବଧିକୁ ଆହୁରି କିଛିଦିନ ପାଇଁ ବଢାଯିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଟିକାକରଣ ଅବଧିକୁ କେତେଦିନ ବଢାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ ।