ସବୁ ପ୍ରତିପକ୍ଷ ରାଜନୈତିକ ଦଳଙ୍କୁ ଚ୍ୟାଲେଞ୍ଜ ଦେଉଛି ବିଜେପି : ହିନ୍ଦୁତ୍ୱ ଛବିକୁ କାଉଁଟର କରିବା ପାଇଁ ବାଟ ଖୋଜୁଛନ୍ତି ପଲଟିକାଲ ପାର୍ଟି ; ଦିଲ୍ଲୀରେ ରାମରାଜ୍ୟ କାର୍ଡ ଖେଳିଲେ କେଜ୍ରିୱାଲ

129

କନକ ବ୍ୟୁରୋ : ରାମ ରାଜ୍ୟ, ଅଯୋଧ୍ୟା ତୀର୍ଥ ଏବଂ ଦେଶଭକ୍ତି ବଜେଟ୍ । ବିଦେଜିପ ହିନ୍ଦୁତ୍ୱ ଛବିକୁ କାଉଂଟର କରିବା ପାଇଁ ବିରୋଧୀ ରାଜନୈତିକ ଦଳଗୁଡିକ ଏବେ ନିଜକୁ ଅଧିକ ହିନ୍ଦୁ ଦେଖାଇ ହେବାକୁ ଚେଷ୍ଟା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ବୁଧବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି- ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେଲେ ଦିଲ୍ଲୀରୁ ବରିଷ୍ଠ ନାଗରିକଙ୍କୁ ତୀର୍ଥ କରାଇବା ପାଇଁ ନେବେ ସରକାର । ଦିଲ୍ଲୀ ସରକାର ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥ କରାଇବା ପାଇଁ ନେଇଥାନ୍ତି ।

ହେଲେ ଏହି ତାଲିକାରେ ଅଯୋଧ୍ୟାକେ ରାମ ମନ୍ଦିରକୁ ଯୋଡିବା ପଛରେ ବିଜେପି ରାମ ମନ୍ଦିର ରାଜନୀତିକୁ କାଉଂଟର କରିବାର ରଣନୀତି ଲୁଚି ରହିଥିବା କୁହାଯାଉଛି । ସେହିପରି ତାଙ୍କ ସରକାର ରାମ ରାଜ୍ୟ ଦ୍ୱାରା ପ୍ରେରଣା ପାଇଥିବା କହୁଛନ୍ତି କେଜ୍ରିୱାଲ । ସେ ହନୁମାନଙ୍କ ପରମ ଭକ୍ତ । ଏବଂ ହନୁମାନ ରାମଙ୍କ ଭକ୍ତ ହୋଇଥିବାରୁ ସେ ମଧ୍ୟ ନିଜକୁ ରାମଙ୍କ ଭକ୍ତ ବୋଲି କହିଛନ୍ତି । ରାମ ରାଜ୍ୟ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ସରକାର ଦିଲ୍ଲୀବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେହିପରି ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ଆଗତ ହୋଇଥିବା ବଜେଟକୁ ଦେଶଭକ୍ତି ବଜେଟ୍ ବୋଲି ନାମକରଣ କରାଯାଇଥିଲା । ଏହା ପଛରେ ମଧ୍ୟ ବିଜେପିକୁ କାଉଂଟର କରିବାର ରଣନୀତି ରହିଥିବା ଆଶଙ୍କା କରାଯାଉଛି ।

ନିଜକୁ ହନୁମାନଙ୍କ ଭକ୍ତ ବୋଲି କୁହନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେଥିପାଇଁ ବାରମ୍ବାର ତାଙ୍କୁ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି । ପରିବାର ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଥିବାବେଳେ ଏହା ମଧ୍ୟ ବିଜେପିର ହିନ୍ଦୁତ୍ୱ ଛବିକୁ କାଉଂଟର କରିବାର ଏକ ରାଜନୈତିକ ରଣନୀତି ବୋଲି କୁହାଯାଉଛି । ଗତ ଦୀପାବଳିରେ ଅକ୍ଷରଧାମରେ ବିଶାଳ ଲକ୍ଷ୍ମୀପୂଜାର ଆୟୋଜନ ଓ ଟିଭିରେ ଏହାର ପ୍ରସାରଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଦିଲ୍ଲୀ ସରକାର । କୁହାଯାଉଛି ନିଜକୁ ଅଧିକ ହିନ୍ଦୁ ଦେଖାଇ ହେବା ପାଇଁ ଏହା ଆମ ଆଦମୀ ପାର୍ଟି ସରକାରଙ୍କ ଏକ ଚାଲ । ହିନ୍ଦୁ ବର୍ଗର ଭୋଟବ୍ୟାଙ୍କ ହାତେଇବା ପାଇଁ ପରିବର୍ତନର ନାରା ଦେଇ କ୍ଷମତାକୁ ଆସିଥିବା ଆପ ସରକାର ଏବେ ହିନ୍ଦୁ ରାଜନୀତି କରୁଥିବା କୁହାଯାଉଛି ।

ସେପଟେ ପଶ୍ଚିମବଙ୍ଗରେ ଜୋରଦାର ହୋଇଛି ହିନ୍ଦୁ ରାଜନୀତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଟେମ୍ପୁଲ ରନ୍ ଆରମ୍ଭ ହୋଇଯାଇଛି । ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯେମିତି ବିଜେପି ବିରୋଧୀ ନେତାଙ୍କ ମନ୍ଦିର ଗସ୍ତ ଚାଲେ, ଠିକ ସେମିତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜୋରଦାର ମନ୍ଦିର ଗସ୍ତ କରୁଥିବା ଦେଖିବାକୁ ମିଳୁଛି ।