ନିର୍ବାଚନ ପୂର୍ବରୁ ମମତାଙ୍କ ଟେମ୍ପୁଲ ରନ୍ : ହିନ୍ଦୁ ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ; ମନ୍ଦିରରେ ପୂଜାର୍ଚ୍ଚନା ସହ କରୁଛନ୍ତି ଚଣ୍ଡୀପାଠ 

139

କନକ ବ୍ୟୁରୋ : ସେପଟେ ପଶ୍ଚିମବଙ୍ଗରେ ଜୋରଦାର ହୋଇଛି ହିନ୍ଦୁ ରାଜନୀତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଟେମ୍ପୁଲ ରନ୍ ଆରମ୍ଭ ହୋଇଯାଇଛି । ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯେମିତି ବିଜେପି ବିରୋଧୀ ନେତାଙ୍କ ମନ୍ଦିର ଗସ୍ତ ଚାଲେ, ଠିକ ସେମିତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜୋରଦାର ମନ୍ଦିର ଗସ୍ତ କରୁଥିବା ଦେଖିବାକୁ ମିଳୁଛି । ଘରେ ଜଗନ୍ନାଥଙ୍କ ପୂଜା କରିବାଠୁ ଆରମ୍ଭ କରି ଶିବ ମନ୍ଦିରରେ ଜଳାଭିଶେକ କରିବା ଭଳି ମମତାଙ୍କ ସବୁ କାର୍ଯ୍ୟକ୍ରମରୁ ପ୍ରତିପକ୍ଷ ଭିନ୍ନ ଭାଷାରେ ଚତ୍ରଣ କରୁଛନ୍ତି ।

ସବୁବେଳେ ମୁସଲିମ ତୁଷ୍ଟିକରଣ ରାଜନୀତି କରୁଥିବା ମମତା ଅଚାନକ ହିନ୍ଦୁ ଭୋଟ ବ୍ୟାଙ୍କ ହାତେଇବା ପାଇଁ ନିଜକୁ ହିନ୍ଦୁଙ୍କ ହିତାକାଂକ୍ଷୀ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ବାଢିଛନ୍ତି । ମନ୍ଦିରରେ ଘଂଟା ଘଂଟା ପୂଜାର୍ଚ୍ଚନା କରି କେବଳ ନିଜ ନିର୍ବାଚନ କ୍ଷେତ୍ର ନୁହେଁ ବରଂ ସାରା ରାଜ୍ୟରେ ହିନ୍ଦୁ ଭୋଟ ଧ୍ରୁବୀକରଣର ପ୍ରୟାସ କରୁଥିବା ଆଶଙ୍କା କରୁଛି ମୁଖ୍ୟ ବିରୋଧୀ ବିଜେପି । ନିର୍ବାଚନ ରଣନୀତିକାରଙ୍କ ଅନୁମାନ ଯେ, ମୁସଲମାନ ଭୋଟ ଟିଏମସି ଖାତାକୁ ଯିବ । ହେଲେ ହିନ୍ଦୁ ମାନଙ୍କ ଏକ ବଡ ଭୋଟବ୍ୟାଙ୍କ କାଳେ ବିଜେପି ଆଡକୁ ଚାଲିଯିବ ସେହି ଭୟରେ ମମତା ହିନ୍ଦୁ ରାଜନୀତିକୁ ଜୋରଦାର କରିଦେଇଛନ୍ତି ।

କିଛିଦିନ ତଳେ ଏକ ନିର୍ବାଚନୀ ସଭାରେ ଚଣ୍ଡିପାଠ ଆରମ୍ଭ କରିଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜୟ ଶ୍ରୀରାମ ନାରା ଶୁଣି ବିଜେପି ଉପରେ ଚିଡି ଯାଉଥିବା ମମତାଙ୍କ ଏଭଳି କାୟାକଳ୍ପ ପରିବର୍ତନ ପଛରେ ରହିଛି ବାଧ୍ୟବାଧ୍ୟତା । କାରଣ ହିନ୍ଦୁ ମାନଙ୍କ ଭୋଟ ହାତରୁ ଖସିଯିବା ଆଶଙ୍କାରେ ଏହିଭଳି ରଣନୀତି ଆପଣାଇଛନ୍ତି ମମତା ବାନାର୍ଜୀ । ବିଶେଷ କରି ନନ୍ଦିଗ୍ରାମରେ ମମତାଙ୍କ ବିରୋଧରେ ବିଜେପି ତାଙ୍କର ପୁରୁଣା ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ଉତାରିଛି । ସେ ମଧ୍ୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ହିନ୍ଦୁ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । ସେପଟେ ଭବାନୀପୁରରେ ମମତାଙ୍କ ବିଜୟ ବ୍ୟବଧାନ ପ୍ରାୟ ୨୫ ହଜାରକୁ ଖସିଆସିଥିବାରୁ ଏଥର ନିଜର ଲଢେଇ ନନ୍ଦିଗ୍ରାମକୁ ନେଇ ଆସିଛନ୍ତି ମମତା । କାଳେ ବିଜେପି ଏଠାରେ ବାଜି ମାରିନେବ ସେହି ଆଶଙ୍କାରେ ମମତା କୌଣସି ମୌକା ହାତଛଡା କରୁନାହାନ୍ତି ।