ପୁଣି ବିବାଦରେ ଅରୁଣ ସାହୁ ! ବମିଖାଲ ଓଭରବ୍ରିଜ ଖଳନାୟକଙ୍କ ସହ ସଂପର୍କକୁ ବିଜେପିର ଟାର୍ଗେଟ୍, ଓଡିଶା ନିବାସରେ କରୁଥିଲେ କଣ?

59

କନକ ବ୍ୟୁରୋ : ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାର ମୁଖ୍ୟ ଖଳନାୟକ ପ୍ରତାପ ପଣ୍ଡାଙ୍କ ସହ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପର୍କର ଗୁମର ଖୋଲିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅରୁଣଙ୍କୁ କାଠଗଡାକୁ ଟାଣିଲେ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି । ଗତ ଅଗଷ୍ଟ ୧୭, ୧୮ ଓ ୧୯ ତାରିଖରେ ଦିଲ୍ଲୀ ଓଡିଶା ନିବାସର ୧୦୬ ନମ୍ବର କୋଠରୀରେ ଅରୁଣ ସାହୁ, ପଣ୍ଡା ଇନ୍ଫ୍ରାର ମାଲିକ ପ୍ରତାପ ପଣ୍ଡାଙ୍କ ସହ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଓଡିଶା ନିବାସର ସିସିଟିଭି ଫୁଟେଜ୍ ଯାଂଚ କଲେ ଅରୁଣଙ୍କ ସହ ପଣ୍ଡା ଇନ୍ଫ୍ରାର ସମ୍ପର୍କ ପଦାକୁ ଆସିବ ବୋଲି ଦାବୀ କରିଛି ବିଜେପି । ଖାଲି ଏତିକି ନୁହେଁ, ଜଣେ ପ୍ରଶାସନିକ ଅଧିକାରୀଙ୍କ ଭୁମିକାକୁ ବି ବିବାଦ ଘେରକୁ ଆଣିଛି ବିଜେପି ।

ବମିଖାଲ ବ୍ରିଜ ଭୁଷୁଡିବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଆସିନାହିଁ । କେବଳ ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ ଗିରଫ କରଛି କମିଶନରେଟ ପୋଲିସ । ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ କେବଳ ଲୁକ୍ ଆଉଟ ସର୍କ୍ୟୁଲାର ଜାରି କରି ପୋଲିସ ମଧ୍ୟ ହାତ ବାନ୍ଧି ବସିଛି । ତେଣୁ ଅନ୍ୟ ଦୋଷୀ ମାନଙ୍କୁ କିଏ ଘଣ୍ଟ ଘୋଡଉଛି ତାକୁ ନେଇ ପ୍ରଶ୍ନ କରିଛି ରାଜ୍ୟ ବିଜେପି ।

ପୂର୍ବରୁ ମଧ୍ୟ ବମିଖାଲର ଖଳନାୟକ ପଣ୍ଡା ଇନ୍ଫ୍ରା ସହ ଅରୁଣ ସାହୁଙ୍କ ସମ୍ପର୍କ ନେଇ ପ୍ରଶ୍ନ କରିଥିଲା ବିଜେପି । ଯାହାକୁ ନେଇ ସେତେବେଳେ ଅରୁଣ ବିଜେପକୁ ଚ୍ୟାଲେଂଜ୍ କରିଥିଲେ । କହିଥିଲେ ଯଦି ବିଜେପି ପାଖରେ ପ୍ରମାଣ ଅଛି ସେମାନେ ତାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ । ଏବେ ପୁଣି ଅରୁଣଙ୍କୁ ବିଜେପି ଟାର୍ଗେଟ କରିଥିବା ବେଳେ ଅରୁଣଙ୍କ ମତାମତ ମିଳିପାରିନାହିଁ ।

ରବିବାର ବରଗଡ ଜିଲ୍ଲାରେ ଜୀରା ନଦୀ ଉପରେ ନିର୍ମାଣଧୀନ ପୋଲ ଭୁଷୁଡିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ବ୍ରିଜ ଭୁଷୁଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ ଟି ଫର୍ମୁଲା ଉପରେ ପ୍ରଶ୍ନ କରିଛି । ଗତ ତିନି ବର୍ଷରେ ରାଜ୍ୟରେ ୯ଟି ନିର୍ମାଣଧୀନ ପୋଲ ଭୁଷୁଡି ପଡିଛି । ବ୍ରିଜ୍ ନିର୍ମାଣ ପରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀଙ୍କ ସମେତ ବଡ ଅଫିସର ମାନେ ଶ୍ରେୟ ନେଇଥିବା ବେଳେ ଦୁର୍ଘଟଣା ଘଟିଲେ ବଳୀ ପଡୁଛନ୍ତି ତଳ ତଳିଆ ଅଧିକରୀ ।