ଭୁବନେଶ୍ୱରରେ ଏଥର ଅପରାଜିତା ଷଡଙ୍ଗୀ ବନାମ ମନ୍ମଥ ରାଉତରାୟ । କାହାକୁ ଭରସା କରିବେ ଭୁବନେଶ୍ୱର ଭୋଟର?

1,181

କନକ ବ୍ୟୁରୋ: ଭୁବନେଶ୍ୱର ଦେଖିବ ଏଥର ବଡ ଲଢେଇ । ମୁହାଁମୁହିଁ ହେବେ ଅପରାଜିତା ଷଡଙ୍ଗୀ ଆଉ ମନ୍ମଥ ରାଉତରାୟ । ବୁଧବାର ବିଜେଡି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ଭୁବନେଶ୍ୱର ଦଖଲ ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ବିଜେଡି ଲୋକସଭା ନିର୍ବାଚନ ପାଇଁ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଆଉ ଅନ୍ୟପଟେ ବିଜେପି ପୁଣିଥରେ ନିଜର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ଦେଇଛି । ତେଣୁ କାହା ଉପରେ ଏଥର ଭୁବନେଶ୍ୱର ଭୋଟର ଭରସା କରୁଛନ୍ତି ତାହା ଦେଖିବା ବାକି ରହିଲା ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଇଥିଲେ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ ବିଜେଡି ଅପରାଜିତାଙ୍କୁ ମାତ୍ ଦେବାକୁ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ୍ ଦେଇଥିଲା । ହେଲେ ଜୋରଦାର ଟକ୍କର ଦେବା ସ୍ୱତ୍ତ୍ୱେ ବିଜେଡି ଭୁବନେଶ୍ୱର ଲୋକସଭା ଆସନ ହରାଇଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇ ଦେଇଥିଲେ । ସେବେଠୁ ଭୁବନେଶ୍ୱର ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ବିଜେଡି ।

ଦଳରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଉ ଦେଉ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ଉପରେ ଭରସା କରିଛି ଦଳ । ବିଜେଡି ତାଙ୍କୁ ବଡ ଦାୟିତ୍ୱ ଦେବା ସହିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । କୁହାଯାଉଛି, ମନ୍ମଥଙ୍କୁ ପ୍ରାର୍ଥୀ କରି ବିଜେଡି ବଡ ଗେମ୍ ଖେଳିଛି । ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ୍ ମଧ୍ୟ ବିଜେଡିକୁ ମିଳିବାର ସମ୍ଭାବନା ବେଶି ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଅନ୍ୟପଟେ ଅପରାଜିତାଙ୍କ ୫ ବର୍ଷ ଶାସନର ବିରୋଧୀ ହାୱାକୁ ମଧ୍ୟ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ବିଜେଡି ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ମୁଦ୍ଦା କରି ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅପରାଜିତା ମଧ୍ୟ ବିକାଶର ନାରା ଦେଇ ପୁଣିଥରେ ଭୁବନେଶ୍ୱରବାସୀଙ୍କ ଭରସା ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏ ସବୁ ଭିତରେ କିଏ ଭୁବନେଶ୍ୱରବାସୀଙ୍କ ଭରସା ଜିତୁଛି? କିଏ ଏଠାରୁ ଲୋକସଭାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।