ପୁଣି ସୀମା ଡ଼େଇଁ ପଡ଼ୋଶୀର ଷଡ଼ଯନ୍ତ୍ର ଚର୍ଚ୍ଚା : ପାରଳାଖେମୁଣ୍ଡିରେ ବିକ୍ରି ହେଉଛି ଆନ୍ଧ୍ରର ମାଗଣା କ୍ଷୀର

113

କନକ ବ୍ୟୁରୋ : ଓଡିଶାରେ ପୁଣି ବିକ୍ରି ହେଲା ଆନ୍ଧ୍ରର ମାଗଣା କ୍ଷୀର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶସ୍ତା ଦରରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାକାର ଗର୍ଭବତୀ ସ୍ତ୍ରୀଙ୍କୁ ଦିଆଯାଉଥିବା ମାଗଣା କ୍ଷୀର । ଏହି କ୍ଷୀର ପ୍ୟାକେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଫଟୋ ରହିଛି । ହେଲେ ଆନ୍ଧ୍ରରେ ଲୋକଙ୍କ ହିତ ପାଇଁ ମାଗଣାରେ ବଣ୍ଟନ ହେଉଥିବା ଏହି କ୍ଷୀର ଏବେ ପାରଳଖେମୁଣ୍ଡି ବଜାରରେ ବିକ୍ରି ହେଉଛି । ଆନ୍ଧ୍ର ସରକାର ତାଙ୍କ ରାଜ୍ୟରେ ଗର୍ଭବତୀ ସ୍ତ୍ରୀ ଓ ଶିଶୁଙ୍କୁ ପ୍ରତି ମାସରେ ୧୧ ଲିଟର କ୍ଷୀର ମାଗଣାରେ ଦେଉଛନ୍ତି ।

ହେଲେ ଏହି ମାଗଣା କ୍ଷୀର, ସୀମା ଡେଇଁ ଓଡିଶା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଶସ୍ତାରେ ମିଳୁଥିବାରୁ ପାରଳାଖେମୁଣ୍ଡିରେ କ୍ଷୀର, ଛେନା, ଦହି ଆଦି ବ୍ୟବୟାସ କରୁଥିବା ଦୋକାନୀ ଏଥିପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ପାରଳଖେମୁଣ୍ଡିରେ ଅଣଓଡିଆ ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇଛି । ତେବେ କିଭଳି ଆନ୍ଧ୍ରରେ ବଣ୍ଟା ଯାଉଥିବା ମାଗଣା କ୍ଷୀର ଓଡିଶା ସୀମା ଡେଇଁ ଆସି ବିକ୍ରି ହଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଆନ୍ଧ୍ର ସରକାରଙ୍କ ଯୋଜନା ସଂପର୍କରେ ଓଡିଶାରେ ପ୍ରଚାର ପାଇଁ ଏଭଳି ଷଡଯନ୍ତ୍ର କରାଯାଉଥିବା ଚର୍ଚ୍ଚା ହେଉଛି ।