ନୂଆ ବାଚସ୍ପତି ଭାବେ ଦାୟିତ୍ୱ ନେଲେ ଆରୁଖ । ନିଦ୍ୱର୍ନ୍ଦରେ ହେଲେ ନିର୍ବାଚିତ

334

କନକ ବ୍ୟୁରୋ : ଗଞ୍ଜାମ ଭଞ୍ଜନଗରର ବିଧାୟକ ବିକ୍ରମ କେଶରୀ ଆରୁଖ ହେଲେ ବିଧାନସଭାର ବାଚସ୍ପତି । ଭଞ୍ଜନଗରର ଏହି ୬ ଥରର ବିଧାୟକ ଶାସକ ଦଳ ପକ୍ଷରୁ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଥିଲେ । ଏଥିପାଇଁ ଆଜି ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିଛି । ଗୃହରେ ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ । ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଥିଲେ । ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ବାଚନିକ ଭୋଟ୍ ପରେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଥିଲେ । ଆଉ ବିକ୍ରମ କେଶରୀ ଆରୁଖ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦିଗପହଣ୍ଡିର ଏହି ବିଧାୟକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଗୃହରେ ନୂଆ ବାଚସ୍ପତିଙ୍କୁ ସ୍ୱାଗତ କରିବା ସହିତ, କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଆମର ଆଶା ମାନ୍ୟବର ବାଚସ୍ପତି ନିରପେକ୍ଷ ରହିବା ପାଇଁ ଚେଷ୍ଟା କରିବେ । ଅନ୍ୟପଟେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ବିକ୍ରମ କେଶରୀ ଆରୁଖ ଗୃହରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ଆଶା କରୁଛି ଆଗାମୀ ଦିନରେ ଏହି ଗୃହରେ ପଦ ମର୍ଯ୍ୟାଦା ରକ୍ଷା କରିବା ପାଇଁ ସମସ୍ତେ ମତେ ସହଯୋଗ କରିବେ । ମୁଁ ସମସ୍ତଙ୍କ ପାଖରେ ଋଣୀ, ଆଗାମୀ ଦିନରେ ଗୃହକୁ ସୁପରିଚଳାନା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି