ଓଡ଼ିଶା ଗାଁରେ ଭୋଟ କରି କବଜା କରିବାକୁ ଆନ୍ଧ୍ର କରୁଛି ଷଡଯନ୍ତ୍ର । କୋରାପୁଟ, ଗଂଜାମ ସୀମାନ୍ତ ଗାଁ ପରେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତ ଉପରେ ପଡୋଶୀ ରାଜ୍ୟର ଆଖି

92

କନକ ବ୍ୟୁରୋ : କୋରାପୁଟର କୋଟିଆ ଅଂଚଳର କିଛି ଗାଁରେ ଆନ୍ଧ୍ର, ପଂଚାୟତ ନିର୍ବାଚନ କରି କିପରି ଏହି ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚକ୍ରାନ୍ତ କରୁଛି, ତାହା ସାମନାକୁ ଆସିବା ପରେ ଗଂଜାମ ପାତ୍ରପୁର ବ୍ଳକର ୪ଟି ପଂଚାୟତରେ ଅନୁରୂପ ପ୍ରୟାସ କରୁଛି ଆନ୍ଧ୍ର । ଏବେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କିଛି ଗାଁ ଉପରେ ପଡିଛି ଆନ୍ଧ୍ରର ଆଖି । ସୀମାକୁ ନେଇ ବିବାଦ ଚାଲିଥିବା ଗଙ୍ଗାବାଡ଼ ପଂଚାୟତର ଅନେକ ଗ୍ରାମବାସୀଙ୍କ ନାଁ ରହିଛି ଆନ୍ଧ୍ର ପ୍ରଦେଶର ଭୋଟର ତାଲିକାରେ । ୬ରୁ ଅଧିକ ଗାଁରେ ଲାଗିଛି ଆନ୍ଧ୍ରର ରାଜନୈତିକ ଦଳର ପୋଷ୍ଟର ଓ ଦଳୀୟ ପତାକା । ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟାରେ କେବଳ ସାମିଲ ହୋଇନାହାନ୍ତି, ସାବା କୋଟା ପଂଚାୟତର ୱାର୍ଡମେମ୍ବର ସଭ୍ୟ ପାଇଁ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ମାଣିକ ପାଟଣା ଗାଁର ମହିଳା ।

ସୀମାକୁ ନେଇ ବର୍ଷ ବର୍ଷର ବିବାଦ ଚାଲିଥିବା ବେଳେ ଦୁଇ ରାଜ୍ୟର ଭୋଟର ପରିଚୟ ରହିଛି ସୀମାନ୍ତରେ ଗ୍ରାମବାସୀଙ୍କ ନିକଟରେ । ଉଭୟ ରାଜ୍ୟର ସରକାରୀ ଯୋଜନାରୁ ଫାଇଦା ମଧ୍ୟ ପାଉଛନ୍ତି । ଓଡ଼ିଶାର ଗାଁରେ ଆନ୍ଧ୍ର ଭୋଟ କରୁଥିବା ସୂଚନା ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ପହଁଚି ଆଲୋଚନା କରିଛି ।

ପଂଚାୟତ ନିର୍ବାଚନ କରି ଗାଁଗୁଡିକୁ କବଜା କରିବାକୁ ଚାହୁଁଛି ଆନ୍ଧ୍ର ପ୍ରଦେଶ । ସୀମା ବିବାଦକୁ ନେଇ ଓଡ଼ିଶା ସରକାର ଉଦାସୀନ ରହିଥିବା ବେଳେ ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ରଚି ଚାଲିଛି ଆନ୍ଧ୍ର । ବିଭିନ୍ନ ଯୋଜନା କରି ସୀମାନ୍ତରେ ଥିବା ଗ୍ରାମବାସୀଙ୍କୁ ପ୍ରଲୋଭିତ କରିଚାଲିଛି ପଡୋଶୀ ।

ଏପଟେ କୋରାପୁଟ, ଗଂଜାମ ଓ ଗଜପତି ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ କିଛି ଲୋକ ଆନ୍ଧ୍ର ମୁହାଁ ହେଉଛନ୍ତି । ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ବାଚନ ବନ୍ଦ ନହେଲେ ଏହି ଗାଁଗୁଡିକ ହାତଛଡ଼ା ହେବା ଆଶଙ୍କା ରହିଛି । ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେଉ କିମ୍ବା ଆଇନଗତ ପ୍ରକ୍ରିୟା ଜରିଆରେ ଆନ୍ଧ୍ରର ନିର୍ବାଚନ ବନ୍ଦ କରିବାକୁ ଦାବି ଜୋର ଧରିଛି ।