ରାଜ୍ୟ ସୀମା ଡେଇଁ ଆନ୍ଧ୍ର ଯାଉଛି ଓଡ଼ିଶା ବାଲି: ରାୟଗଡାର ବିଭିନ୍ନ ନଦୀ ଶଯ୍ୟାରୁ ବାଲି ଚୋରାଚାଲାଣ କରୁଛନ୍ତି ଆନ୍ଧ୍ର ଦଲାଲ

51

କନକ ବ୍ୟୁରୋ: ନଦୀ ଶଯ୍ୟା ରାୟଗଡାର କିନ୍ତୁ ଆନ୍ଧ୍ରକୁ ହେଉଛି ବାଲି ଚୋରା ଚାଲାଣ । ନଦୀ ମଝିରେ ଗାଡି ଲଗାଇ ଲିଜଧାରୀ ନଦୀରୁ ବାଲି ଉଠାଉ ଥିବା ବେଳେ ସୀମାନ୍ତ ଫାଟକ ଦେଇ ଦୈନିକ ଶତାଧିକ ବାଲି ବୋଝେଇ ଟ୍ରକ ଓ ଟିପର ଆନ୍ଧ୍ରକୁ ଯାଉଛି । ଜିଲ୍ଲା ପ୍ରଶାନର ନାକ ତଳେ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଦେଖି ନଦେଖିଲା ପରି ଚୁପ ବସିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ନାଁରେ ଲିଜ୍ ନେଇ ପରୋକ୍ଷ ଭାବେ ବାଲିଘାଟକୁ ଚଲାଉଛନ୍ତି ଆନ୍ଧ୍ର ମାଫିଆ ।

ରାଜସ୍ୱ ବିଭାଗ ପକ୍ଷରୁ ବାଲି ଘାଟରେ ବନ୍ଦ କରିଦିଆଯାଇଛି ବୋଲି ଫଳକ ଲଗାଯାଇଛି । କିନ୍ତୁ ସେହି ବାଲିଘାଟରୁ ବେଧଡକ ଭାବେ ଦିନ ଦ୍ୱିପ୍ରହରରେ ବାଲି ଚୋରା ଚାଲାଣ କରାଯାଉଛି । ବାଲି ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏକ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଅଧ୍ୟକ୍ଷ ଥିବା ବେଳେ ଉପଜିଲ୍ଲାପାଳ, ତହସିଲଦାର, ଆରଆଇ ଓ ପୋଲିସ ରହିଥିବା ବେଳେ ଏହି କମିଟ ବାଲି ଚୋରାଚାଲାଣି ଦେଖି ନଦେଖିଲା ପରି ଚୁପ ହୋଇବସିଥିବା ଅଭିଯୋଗ ହୋଇଛି । ତେବେ ବାଲି ଚୋରି ହେଉଥିବା ବେଳେ ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀ ମାସିକ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ଚୁପ ବସିଛନ୍ତି । ଫଳରେ ସରକାର ରାଜସ୍ୱ ହରାଉଛନ୍ତି ବୋଲି ରାୟଗଡାବାସୀ ଅଭିଯୋଗ କରିଛନ୍ତି ।