ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜଡ଼ିତ ଥିବା ଏକ ସମବାୟ ବ୍ୟାଙ୍କରେ ୫ ଦିନରେ ଜମା ହୋଇଥିଲା ୭ଶହ ୪୫ କୋଟି ପୁରୁଣା ନୋଟ୍ : ଆରଟିଆଇ ତଥ୍ୟ ସାମ୍ନାକୁ ଆସିଲା ପରେ ବିଜେପିକୁ ଘେରିଲା କଂଗ୍ରେସ

48

କନକ ବ୍ୟୁରୋ : ବିମୁଦ୍ରାକରଣକୁ ଦୁଇ ବର୍ଷ ବିତି ଯିବା ପରେ ବି ବିବାଦ ଥମିବାର ନାଁ ନେଉ ନାହିଁ । ବିମୁଦ୍ରାକରଣ ପରେ କେତେ କଳାଧନ ଦେଶକୁ ଫେରିଛି ଓ ଦୂର୍ନୀତି କେତେ କମିଛି ତାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅହମଦାବାଦର ଏକ କୋପରେଟିଭ ବ୍ୟାଙ୍କକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି । ଆରଟିଆରୁ ମିଳିଥିବା ତଥ୍ୟ ଅନୁସାରେ ଅହମଦାବାଦର ଜିଲ୍ଲା କୋପରେଟିଭ ବ୍ୟାଙ୍କରେ ବିମୁଦ୍ରାକରଣର ମାତ୍ର ପାଂଚ ଦିନ ଭିତରେ ୭୪୫ କୋଟି ୫୯ଲକ୍ଷ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ଜମା ହୋଇଥିଲା । ବିମୁଦ୍ରାକରଣ ବେଳେ କୌଣସି ବ୍ୟାଙ୍କରେ ଏତେ ସଂଖ୍ୟାରେ ପୁରୁଣା ନୋଟ ଜମା ହେବା ଏକ ରେକର୍ଡ ସଂଖ୍ୟା ହୋଇଥିବା ବେଳେ ବାକ ବିତଣ୍ଡା ସେତେବେଳେ ବୃଦ୍ଧି ପାଇଲା ଯେତେବେଳେ ଜଣା ପଡିଲା ଯେ ଯେଉଁ କୋପରେଟିଭ ବ୍ୟାଙ୍କରେ ଏତେ ସଂଖ୍ୟାରେ ପୁରୁଣା ନୋଟ ଜମା କରାଯାଇଛି ତାର ନିର୍ଦ୍ଦେଶକ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

ଜାତୀୟ ଓ ଆନ୍ତର୍ଜତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବହୁ ବର୍ଷ ଧରି ଅମିତ ଶାହ ଏହି ବ୍ୟାଙ୍କର ନିର୍ଦ୍ଦେଶକ ରହି ଆସିଥିବା ବେଳେ ପୂର୍ବରୁ ଚେୟାରମ୍ୟାନ ଦାୟିତ୍ୱରେ ବି ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ବିମୁଦ୍ରାକରଣର ମାତ୍ର ପାଂଚଦିନ ପରେ କଳାଧନ କାରବାର ଆଶଙ୍କାରେ ଜିଲ୍ଲା କୋପରେଟିଭ ବ୍ୟାଙ୍କରେ ପୁରୁଣା ଟଙ୍କା ଜମା ଉପରେ ରୋକ ଲାଗାଦେଇଥିଲେ ସରକାର । ହେଲେ ଅମିତ ଶାହ ନିର୍ଦ୍ଦେଶକ ଥିବା ଏକ ବ୍ୟାଙ୍କରେ ମାତ୍ର ପାଂଚ ଦିନରେ ଏତେ ପରିମାଣରେ ପୁରୁଣା ନୋଟ ଜମା ହେବା ଘଟଣା ସମ୍ନାକୁ ଆସିବା ପରେ ବିଜେପିକୁ ଘେରିବା ପାଇଁ ବିରୋଧିଙ୍କୁ ଏକ ବଡ ପ୍ରସଙ୍ଗ ମିଳିଯାଇଛି । ୧୦ ନଭେମ୍ବର ୨୦୧୬ରୁ ୧୪ ନଭେମ୍ବର ୨୦୧୬ ଭିତରେ ଅହମଦାବାଦ କୋପରେଟିଭ ବ୍ୟାଙ୍କରେ ୭୪୫ କୋଟି ୫୯ଲକ୍ଷ ପୁରୁଣା ନୋଟ ଜମା ହୋଇଛି । ୩୧ ମାର୍ଚ୍ଚ ୨୦୧୭ ସୁଦ୍ଧା ମୋଟ ୫ହଜାର ୫୦କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ହୋଇଛି । ୨୦୧୬-୨୦୧୭ ଆର୍ଥିକ ବର୍ଷରେ ଅହମଦାବାଦ କୋପରେଟିଭ ବ୍ୟାଙ୍କର ବାର୍ଷିକ ଲାଭ ହେଉଛି ୧୪କୋଟି ୩୧ଲକ୍ଷ ଟଙ୍କା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଦ୍ଦେଶକ ଥିବା ଏକ ବ୍ୟାଙ୍କରେ ଦେଶର ଅନ୍ୟ ବ୍ୟାଙ୍କ ତୁଳନାରେ ରେକର୍ଡ ସଂଖ୍ୟକ ପୁରୁଣା ନୋଟ ଜମା ହେବା ବିରୋଧିଙ୍କ ଭିତରେ ସନ୍ଦେହ ସୃଷ୍ଟି କରିଛି ।

କେବଳ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ ନୁହେଁ ବରଂ ରାଜକୋଟ କୋପରେଟିଭ ବ୍ୟାଙ୍କରେ ବି ବହୁ ସଂଖ୍ୟାରେ ପୁରୁଣା ନୋଟ ଜମା ହୋଇଥିବା ଜଣା ପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟାଙ୍କର ବି ଚେୟାରମେନ ହେଉଛନ୍ତି ଜଣେ ବିଜେପି ନେତା । ରାଜକୋଟ କୋପରେଟିଭ ବ୍ୟାଙ୍କରେ ବିମୁଦ୍ରାକରଣ ସମୟରେ ୬୯୩କୋଟି ୧୯ଲକ୍ଷ ଟଙ୍କା ପୁରୁଣା ନୋଟ ଜମା ହୋଇଛି । ଆଉ ଏହି ବ୍ୟାଙ୍କର ଚେୟାମେନ ଦାୟିତ୍ୱ ଜୟେସଭାଇ ଭିଟ୍ଟଲଭାଇ ରାଡାଡିଆଙ୍କଙ୍କ ପାଖରେ ଅଛି ଯିଏ କି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜକୋଟ ହେଉଛି ବିଜେପିର ଗଡ,ଯେଉଁଠାରୁ ୨୦୦୧ରେ ନରେନ୍ଦ୍ର ମୋଦି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Impact Of Demonetisation On General Public

୧୦ ନଭେମ୍ବର ୨୦୧୬-୧୪ନଭେମ୍ବର ୨୦୧୬ ଭିତରେ ରାଜକୋଟ କୋପରେଟିଭ ବ୍ୟାଙ୍କରେ ୬୯୩କୋଟି ୧୯ଲକ୍ଷ ଟଙ୍କାର ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ଜମା ହୋଇଛି । ରାଜକୋଟ ଓ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କରେ ପ୍ରାୟ ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ମାତ୍ର ୦୫ଦିନରେ ଜମା ହୋଇଛି । ହେଲେ ଗୁଜୁରାଟ ରାଜ୍ୟ ସମବାୟ ବ୍ୟାଙ୍କରେ ଜମା ହୋଇଛି ମାତ୍ର ୧.୧କୋଟି ଟଙ୍କାର ପୁରୁଣା ନୋଟ । ବିଜେପି ନେତା ଜଡିତ ଥିବା ବ୍ୟାଙ୍କରେ ଏତେ ମାତ୍ରାରେ ପୁରୁଣା ନୋଟ ଜମା ହେବା ପ୍ରସଙ୍ଗରେ ବିରୋଧି କଡା ସମାଲୋଚନା କରିଛନ୍ତି ।ଏହି ପ୍ରସଙ୍ଗରେ ଆମେ ରାଜ୍ୟ ବିଜେପି ନେତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ କେନ୍ଦ୍ରରେ କଂଗ୍ରେସର ଅଭିଯୋଗ ପରେ ଜାତୀୟ ବିଜେପି ବି ଏନେଇ କୈାଣସି ବିଷଦ ପ୍ରତିକ୍ରିୟା ରଖିନାହିଁ ।

ମୁମ୍ବାଇର ମନୋରଞ୍ଜନ ଏସ ରାୟ ନାମକ ଜଣେ ସୂଚନା ଅଧିକାର କର୍ମୀ ଏବେ ଯେଉଁସବୁ ତଥ୍ୟ ଆଣିଛନ୍ତି ତାହା ସାଧାରଣରେ ବି ସନ୍ଦେହ ସୃଷ୍ଟି କରିବା ସ୍ୱଭାବିକ । ତେବେ କିଛି ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ କହୁଛି ଦେଶର କିଛି ବଡ ବଡ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିଥିଲେ ବି ପରବର୍ତୀ ସମୟରେ ଖବର ହଜି ଯାଇଥିଲା । ସବୁଠାରୁ ବଡ କଥା ହେଉଛି ଦେଶର ୦୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କ,୩୨ଟି ରାଜ୍ୟ ସମବାୟ ବ୍ୟାଙ୍କ,୩୭୦ଟି ଜିଲ୍ଲା ସମବାୟ ବ୍ୟାଙ୍କ ଓ ପ୍ରାୟ ୩୬ଟି ପୋଷ୍ଟ ଅଫିସରେ ପ୍ରାୟ ୭.୯୧କୋଟି ପୂରୂଣା ନୋଟ ଜମା ହୋଇଛି ।

ଯାହା ଜମା ହୋଇଥିବା ସମୁଦାୟ ନୋଟର ପ୍ରାୟ ୫୨ ପ୍ରତିଶତ । ତେବେ ବିମୁଦ୍ରାକରଣ ପରେ ବିରୋଧି ଲାଗାତାର ଭାବେ ବିଜେପିକୁ ଘେରିଛନ୍ତି । ଏସବୁ ଭିତରେ ଅନେକ ବିବାଦ ଏବେ ବି ଅସମାହିତ । ରାଜକୋଟ ଓ ଅହମଦାବାଦର ଜିଲ୍ଲା କୋପରେଟିଭ ବ୍ୟାଙ୍କରେ ଏତେ ପରିମାଣରେ ପୁରୁଣା ନୋଟ ଜମା ହେବା ସ୍ୱଭାବିକ ଘଟଣା ନା ଏଥିରେ କିଛି ସନ୍ଦେହପୂର୍ଣ୍ଣ ଦିଗ ରହିଛି? ୨୦୧୭ରେ ବିଜେପି ଶାସନରେ ଥିବା କିଛି ରାଜ୍ୟରେ କିଛି ସମୟ ପାଇଁ ପୁରୁଣା ନୋଟ ଜମା କରିବାର ସୁଯୋଗ ଦେବା ଭଳି ଅଭିଯୋଗ ବି ରହିଛି । କଳାଦନ ବିରୋଧରେ ସ୍ଲୋଗାନ ଦେଇ ଯେଉଁ ବିମୁଦ୍ରାକରଣ କରାଯାଇଥିଲା,ତାପରେ କେତେ ପରିମାଣରେ କଳାଧନ ଦେଶକୁ ଫେରିଛି? ୦୮ ନଭେମ୍ବର ୨୦୧୬ ପୂର୍ବରୁ ଗୁଜୁରାଟର ଏକ ଖବର କାଗଜରେ ବିମୁଦ୍ରାକରଣ ସମ୍ପର୍କୀତ ଖବର ଛାପିବା ଘଟଣାକୁ ନେଇ ବି ବିବାଦ ରହିଛ