ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା କଲା ପ୍ରବେଶ ।

180

କନକ ବ୍ୟୁରୋ: ଭାରତର ଜଳରାଶିରେ ବିନା ଅନୁମତିରେ ପ୍ରବେଶ କରିଛି ଆମେରିକା । ଲାକ୍ଷାଦ୍ୱୀପ ନିକଟବର୍ତୀ ଭାରତର ‘ଏକ୍ସକ୍ଳୁସିଭ ଇକୋନୋମିକ ଜୋନ’ ବା ଇଇଜେଡରେ ‘ଫ୍ରୀଡମ ଅଫ ନାଭିଗେସନ ପେଟ୍ରୋଲ୍ସ’ କରିଥିବା କଥା ଘୋଷଣା କରିଛି ଆମେରିକା ନୌସେନା । ଆମେରିକା ନୌସେନା ଇଇଜେଡରେ ଅପରେସନ କରିଥିଲେ ମଧ୍ୟ ଏଥିପାଇଁ ଭାରତ ଠାରୁ କୌଣସି ପ୍ରକାର ଅନୁମତି ଲୋଡି ନାହିଁ ।

ଉପକୂଳ ଦେଶ ଗୁଡିକୁ ଲାଗିରହିଥିବା ସମୁଦ୍ର ଭିତରେ ୩୭୦କିଲୋମିଟର ପର୍ଯ୍ୟନ୍ତ କେବଳ ସେହି ଦେଶର ଅଧିକାର ଥାଏ । ଏହି ଜଳରାଶି ଭିତରେ ଥିବା ସମସ୍ତ ପ୍ରାକୃତିକ ସମ୍ପଦ ଉପରେ ମଧ୍ୟ ସେହି ଦେଶର ଅଧିକାର ରହିଥାଏ, ଯାହାକୁ ଏକ୍ସକ୍ଳୁସିଭ ଇକୋନୋମିକ ଜୋନ କୁହାଯାଏ । ଆମେରିକା ସବୁବେଳେ ଦକ୍ଷିଣ ଚୀନ୍ ସାଗରରେ ଏପରି ଅପରେସନ କରିଥାଏ । ଏହି ଅଂଚଳରେ ଚୀନ୍ ବାରମ୍ବାର ନିଜର ପତିଆରା ଜାହିର କରୁଥିବା ବେଳେ ଆମେରିକା ନୌସେନା ଏଠାରେ ପାଟ୍ରୋଲିଂ କରୁଛି । କିନ୍ତୁ ଆମେରିକା କାହିଁକି ଭାରତର ଇଇଜେଡରେ ପ୍ରବେଶ କଲା ଓ ପାଟ୍ରୋଲିଂ କଲା ତାକୁ ନେଇ ତାକୁ ନେଇ ପ୍ରଶ୍ନ ଉଠିଛି ।

ଆମେରିକା ନୌସେନା ବିବୃତି ଜାରି କରି କହିଛି ଯେ, ଏପ୍ରିଲ ୭ତାରିଖରେ ଭାରତର ବିନା ଅନୁମତିରେ ଲାକ୍ଷାଦ୍ୱୀପର ପଶ୍ଚିମରୁ ୨୪୦କିଲୋମିଟର ଦୂରରେ ‘ଫ୍ରୀଡମ ଅଫ ନାଭିଗେସନ ପେଟ୍ରୋଲ’ ଅପରେସନ ହୋଇଥିଲା । ଏହି ସମୟରେ ଯୁଦ୍ଧଜାହାଜ ୟୁଏସଏସ ଜନ ପଲ ଜୋନ୍ସ ଏଥିରେ ସାମିଲ ହୋଇଥିଲା । ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ଅପରେସନ କରାଯାଇଛି । ପୂର୍ବରୁ ମଧ୍ୟ ଆମେରିକା ଏପରି ଅପରେସନ କରିଥିଲା ଏବଂ ଭବିଷ୍ୟତରେ ମଧ୍ୟ ଏପରି ଅପରେସନ ଜାରି ରହିବ । ‘ଏକ୍ସକ୍ଳୁସିଭ ଇକୋନୋମିକ ଜୋନ’ରେ ଏପରି ଅପରେସନ ପାଇଁ ଅନୁମତି ଆବଶ୍ୟକ ବୋଲି ଭାରତ କରିଥିବା ଦାବିର ଅନ୍ତର୍ଜାତୀୟ ଆଇନ ସହ ମେଳ ନାହିଁ ।

ଭାରତୀୟ ଜଳରାଶିରେ ପ୍ରବେଶ କରି ଏପରି ଅପରେସନ କରିବା ପାଇଁ ଭାରତର ଅନୁମତି ଅନିବାର୍ଯ୍ୟ ବୋଲି ନୌସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଆମେରିକାର ଏପରି ପଦକ୍ଷେପ ଭାରତ ଓ ଆମେରିକାର ସମ୍ପର୍କକୁ ଏକ ନକାରାତ୍ମକ ଦିଗକୁ ଠେଲିଦେବ ।