ବିଭିନ୍ନ ରାଜ୍ୟରୁ ଆସିଲା ଟିକା ଅଭାବ ନେଇ ଅଭିଯୋଗ । ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଲେ ଲୋକେ ।

ମହାରାଷ୍ଟ୍ରରେ ବନ୍ଦ ହେଲା ୭୦ଟି ଟିକାକରଣ କେନ୍ଦ୍ର

73

କନକ ବ୍ୟୁରୋ: ଟିକା ନେବାକୁ ଆସି ଫେରିଗଲେ ଲୋକେ । ଏଭଳି କିଛି ଖବର ଆସିଛି ମହାରାଷ୍ଟ୍ରରୁ । ଟିକା ଅଭାବ ଯୋଗୁଁ ରାଜ୍ୟର ୭୦ଟି ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ମୁମ୍ବାଇର ଜୁମ୍ବୋ ଭ୍ୟାକସିନେସନ ସେଂଟରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଲୋକେ ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଛନ୍ତି ।

ତେବେ ଏନେଇ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା କଥା ହେଲା ବୁଧବାର ପର୍ଯ୍ୟନ୍ତ ଗୋଟିଏ ଦିନ ପୂର୍ବରୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦିଆଯାଉଥିଲା କିନ୍ତୁ ଗୁରୁବାର ଦିନ କେନ୍ଦ୍ରକୁ ଆଉ ଟିକା ଯୋଗାଇ ଦିଆଯାଇନାହିଁ । ମହାରାଷ୍ଟ୍ରରେ ଟିକାକରଣ ପାଇଁ ପ୍ରତି ସପ୍ତାହରେ ୪୦ଲକ୍ଷ ଡୋଜର ଆବଶ୍ୟକତା ରହିଛି । ଏପରିକି ଟିକା ଯୋଗାଣରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରିଛି ମହାରାଷ୍ଟ୍ର ।

କେବଳ ମୁମ୍ବାଇ ନୁହେଁ ନାଗପୁରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଟିକା ନଥିବା ଯୋଗୁଁ ଲୋକଙ୍କୁ ନିରାଶରେ ଫେରିବାକୁ ପଡୁଛି । କିଏ ପ୍ରଥମ ଡୋଜ ନେବା ପାଇଁ ଆସିଥିବା ସମୟରେ ନିରାଶ ହୋଇଛି ତ ପୁଣି କିଏ କାହାକୁ ଦ୍ୱିତୀୟ ଡୋଜ ମଧ୍ୟ ମିଳିପାରୁନାହିଁ । ଟିକାକରଣ କେନ୍ଦ୍ର ବାହାରେ ଟିକା ଉପଲବ୍ଧ ନଥିବା ଲେଖା ଦେଖିବାକୁ ମିଳିଛି । ଅନ୍ୟପଟେ ଟିକାକରଣ ଦାୟିତ୍ୱ ଥିବା ଅଧିକାରୀ କହିଛନ୍ତି ଟିକା କେବେ ଆସିବ ସେ ନେଇ ତାଙ୍କ ପାଖରେ କୌଣସ ଖବର ନାହିଁ ।

ମହାରାଷ୍ଟ୍ର ସମେତ ଓଡ଼ିଶା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡରେ ମଧ୍ୟ କରୋନା ଟିକା ଅଭାବ ନେଇ ଅଭିଯୋଗ ଆସିଛି । ଆନ୍ଧ୍ରପ୍ରଦେଶ ତୁରନ୍ତ ୧କୋଟି ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଲେଖିଛି । ଝାଡଖଣ୍ଡ ମଧ୍ୟ ୫ଲକ୍ଷ କୋଭିଡ ଟିକାର ଡୋଜ ପଠାଇବା ପାଇଁ କେନ୍ଦ୍ରକୁ ଲେଖିଛି । ସେପଟେ ଟିକା ଅଭାବ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସମସ୍ତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାରଣ ଟିକା ଉପଲବ୍ଧ ରହିିଛି । ଏବଂ ରାଜ୍ୟଗୁଡିକ ଆବଶ୍ୟକ ମୁତାବକ ଟିକା ଯୋଗାଇ ଦିଆଯାଉଥିବା କହିଛନ୍ତି ଶାହ । ଟିକାକରଣକୁ ନେଇ ବିଭିନ୍ନ ରାଜ୍ୟ ନିଜ ଅଭିଯୋଗ ବାଢିଚାଲିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଗୁଡିକ ନିଜ ନିଜର ଦୋଷ ଦୁର୍ବଳତା ଗଣାଇବାରେ ବ୍ୟସ୍ତ ।