କମିଶନରେଟ ପୁଲିସ ପାଇଁ ଅଡୁଆ ସାଜିଛି ମଞ୍ଚେଶ୍ୱର ଥାନା: ଆଇଆଇସି ପୁଣି ଏତଲା ହଜାଇ ଦେଇଥିବା ଅଭିଯୋଗ

166

କନକ ବ୍ୟୁରୋ: ସବ୍ୟସାଚ୍ଚୀ ସାହୁ । ବୟସ – ୩୭ । ରସୁଲଗଡ, ପଳାଶୁଣି ଅଂଚଳର ଯୁବକ । ହାତରେ ୱାକର ଧରି,ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ଏହି ଯୁବକ । ଯୁବକ ଜଣଙ୍କ ଯେତିକି ଶାରିରୀକ ଯନ୍ତ୍ରଣା ଭୋଗିଛନ୍ତି ତା ଠାରୁ ଅଧିକ ମାନସିକ କଷ୍ଟରେ ଅଛନ୍ତି । ଯୁବକଙ୍କ ଅଭିଯୋଗ, ଗତ ୯ ତାରିଖରେ ପଳାଶୁଣି ବସଷ୍ଟାଣ୍ଡରେ ଛିଡା ହୋଇଥିବା ସମୟରେ ଜଣେ ଯୁବତୀ ସ୍କୁଟିରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ଏହି ଯୁବକଙ୍କର ଡାହାଣ ଗୋଡ ଦୁଇଖଣ୍ଡ ହୋଇଯାଇଥିଲା । ଯୁବକଙ୍କ ବାପା ଏନେଇ ମଂଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ, ଦୁର୍ଘଟଣା ଘଟାଇଥିବା ଗାଡି ମାଲିକଙ୍କ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା । ତଦନ୍ତ ବାବଦରେ ଥାନା ବାବଙ୍କୁ ପଚାରିବାରୁ – ଥାନା ବାବୁ କହିଥିଲେ , ଏତଲା କପି ହଜି ଯାଇଛି

ଗୁରୁବାର ଜଣେ ମହିଳାଙ୍କ ଅଭିଯୋଗ ପତ୍ରକୁ ହଜାଇ ଚର୍ଚ୍ଚାକୁ ଆସିଥିବା ମଂଚେଶ୍ୱର ଥାନା ଆଇଆଇସିଙ୍କ ନାଁରେ ପୁଣି ସମାନ ଅଭିଯୋଗ ଆସିଛି । ଏପରିକି ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ନହେଲେ, ଆଇଆଇସି ମାମଲା ରୁଜୁ କରୁ ନଥିବା ନଜରକୁ ଆସିଛି । କିନ୍ତୁ ବୁଝା ପଡୁନି ଆଇଆଇସି ଏହି ଏତଲା କପି ଗୁଡିକ କାହିଁକି ହଜାଇ ଦେଉଛନ୍ତି । ଥାନା ବାରଣ୍ଡାକୁ ଦୈାଡି ଦୌଡି ନିରାସ ହୋଇ ପୁଲିସ କମିଶନରଙ୍କୁ ଭେଟିିବା ପରେ ହିଁ ସେ ନ୍ୟାୟ ପାଇବେ ବୋଲି ଆଶା ବାନ୍ଧିଛନ୍ତି ।

ଗୋଟିଏ ଥାନା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ପରେ, ଏବେ ଅନେକ ପ୍ରଶ୍ନ ସେମନାକୁ ଆସିବାରେ ଲାଗିଛି ।
ଥାନାରୁ କାହିଁକି ବାରମ୍ବାର ଗାଏବ ହୋଇଯାଉଛି ଏତଲା କପି?
ଗୋଟିଏ ଥାନା ଅଧିକାରୀଙ୍କ ନାଁରେ କାହିଁକି ଆସୁଛି ମାଳମାଳ ଅଭିଯୋଗ?
ମଂଚେଶ୍ୱର ଥାନାରେ କମ୍ପପ୍ଲେନ ଅପେକ୍ଷା କମ୍ପ୍ରମାଇଜକୁ ପ୍ରାଧାନ୍ୟ ଦିଆଯାଉଛି କି ?
କାହିଁକି ମୋ ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ଥାନା ଅଧିକେରୀ?