ପ୍ରବଳ ତାତି ସମୟରେ କାଳବୈଶାଖୀର ତାଣ୍ଡବ । ଉପୁଡ଼ିଲା ଗଛ, ଭାଙ୍ଗିଲା ଘର ।

148

କନକ ବ୍ୟୁରୋ: ପ୍ରବଳ ଖରା ଓ ତାତି ଭିତରେ ସମସ୍ତେ ଟିକେ ବର୍ଷାକୁ ଅପେକ୍ଷା କରିଥିଲେ । କାରଣ ଟିକେ ହେଲେ ବି ବର୍ଷା, ଏହି ଅସହ୍ୟ ତାତିରୁ ରକ୍ଷା କରିବ । କିନ୍ତୁ ଯେଉଁଭଳି ଭାବରେ କାଳବୈଶାଖୀ ମାଡି ଆସିଲା, ଲୋକଙ୍କ ଚିନ୍ତା ଆହୁରି ବଢାଇ ଦେଲା । କାହା ଘରର ଛାତ ଉଡିଗଲା, ତ ଆଉ କାହାର ଦୋକାନ ଉପରେ ଗଛ ପଡିଗଲା ।

କାଳବୈଶାଖୀର ବର୍ଷା ଅସହ୍ୟ ତାତିରୁ ମୁକ୍ତି ତ ଦେଇଛି, ହେଲେ ଅନେକ ସ୍ଥାନରେ କ୍ଷୟକ୍ଷତି କରିଛି । ନବରଙ୍ଗପୁର ଉମରକୋଟ ବ୍ଲକର ବେନୋରା ପଞ୍ଚାୟତ ଓ ଝରିଗାଁ ବ୍ଲକର ତେଲନଦିଗାଁ ପଞ୍ଚାୟତରେ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଣୀଗୁଡା, ବେନୋରା, ସଙ୍କରଡ଼ା ଏବଂ କଲିବେଡା ଗାଁରେ ଘର ଉପରୁ ଟିଣ ଛପର ଉଡି ଯାଇଛି । ଅନେକ ସ୍ଥାନରେ ଗଛ ପଡି ଘର ବି ଭାଙ୍ଗି ଯାଇଛି । ଜମିରେ ଫସଲ ବି ନଷ୍ଟ ହୋଇଛି । ସ୍ଥାନୀୟ ତହସିଲଦାର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦରେ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ିଛି । ଆଖଣ୍ଡଳେଶ୍ୱର ମନ୍ଦିର ନିକଟରେ ଗଛ ଭାଙ୍ଗିପଡ଼ିବାରୁ ୫ଟି ଦୋକାନ ନଷ୍ଟ ହୋଇଛି । ବିଦ୍ୟୁତ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଭାଙ୍ଗିପଡ଼ିଥିବା ଗଛକୁ କାଟି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ଗଞ୍ଜାମ ଖଲ୍ଲିକୋଟରେ କାଳବୈଶାଖୀ ବର୍ଷାରେ ଭୁଷୁଡ଼ି ପଡ଼ିଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂଆ କରି ତିଆରି ହୋଇଥିବା ଦିଆନ ବନ୍ଧ । ପାଚେରୀ ଭାଙ୍ଗି ପଡ଼ିଥିବା ବେଳେ ପାହାଚରେ ଫାଟ ସୃଷ୍ଟି ହୋଇଛି ।