ଇପିଏଫ ପେନସନ୍ ଯୋଜନା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ହଟିଲା ୧୫ ହଜାର ବେତନ ସୀମା

3,194

କନକ ବ୍ୟୁରୋ : ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୪ର ଏହି ଯୋଜନାକୁ ସର୍ବୋଚ୍ଚ ଅଦାଲତ ଆଇନସମ୍ମତ ଏବଂ ବୈଧ ବୋଲି କହିଛନ୍ତି । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଆଶ୍ୱସ୍ତ ଦେଇ ନ୍ୟାୟାଳୟ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରେ ଅଦ୍ୟାବଧି ସାମିଲ ହେବାର ବିକଳ୍ପ ନେଇ ନାହାନ୍ତି ସେମାନଙ୍କୁ ଏଥିରେ ଯୋଗ ଦେବା ଲାଗି ଅଧିକ ୬ମାସ ସମୟ ଦିଆଯିବ ।

ସେହିଭଳି ପେନସନ ସ୍କିମରେ ସାମିଲ ହେବା ନେଇ ମାସିକ ବେତନ ସୀମା ୧୫ହଜାର ଟଙ୍କା ସମ୍ପର୍କିତ ନିୟମକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି । ପେନସନ ଯୋଗ୍ୟ ବେତନ ସୀମା ପୂର୍ବରଚ ୬ହଜାର ୫ଶହ ଟଙ୍କା ଥିବା ବେଳେ ଏହାକୁ ୨୦୧୪ରେ ସଂଶୋଧନ କରାଯାଇ ୧୫ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା । ଖଣ୍ଡପୀଠ କହିଛନ୍ତି, ଯେଉଁ କର୍ମଚାରୀ ଧାର୍ଯ୍ୟ ସମୟ ସୁଦ୍ଧା ଏଥିରେ ସାମିଲ ହେବାକୁ ସକ୍ଷମ ହୋଇ ନାହାନ୍ତି ସେମାନଙ୍କୁ ଏନେଇ ଅତିରିକ୍ତ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି ।

ତେବେ ବେତନ ୧୫ହଜାର ଟଙ୍କାରୁ ଅଧିକ ହେଲେ କର୍ମଚାରୀଙ୍କୁ ଅତିରିକ୍ତ ୧.୧୬ପ୍ରତିଶତ ଯୋଗଦାନ କରିବା ନେଇ ୨୦୧୪ ସଂଶୋଧନ ନିୟମରେ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । ଏହା ଇଚ୍ଛାଧିନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୪ସ୍କିମକୁ କେରଳ, ରାଜସ୍ଥାନ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିଲେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।