ସିପିଇସି ପ୍ରୋଜେକ୍ଟ ସୁରକ୍ଷାକୁ ନେଇ ବଡ ନିଷ୍ପତ୍ତି , ପାକିସ୍ତାନରେ ବୁଲେଟପ୍ରୁଫ୍ ଗାଡିରେ ବୁଲିବେ ଚୀନ ଶ୍ରମିକ

98

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ହେବାପରେ ପାକିସ୍ତାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ଏହି କ୍ରମରେ ପାକିସ୍ତାନରେ ସିପିଇସି ପ୍ରୋଜେକ୍ଟ ଉପରେ କାମ କରୁଥିବା ଶ୍ରମିକମାନଙ୍କୁ ପାକିସ୍ତାନ ସରକାର ବୁଲେଟପ୍ରୁଫ୍ କାର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସିପିଇସି ପ୍ରୋଜେକ୍ଟରେ କାମ କରୁଥିବା ସମସ୍ତ ଶ୍ରମିକମାନେ ବାହାରକୁ ବାହାରିଲେ ବୁଲେଟପୁଫ୍ ଗାଡିରେ ଯିବା ଆସିବା କରିବେ ବୋଲି ଜଣାପଡିଛି ।

ସେପଟେ କୁହାଯାଇଛି କି, ସିପିଇସି ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଂକା ବୃଦ୍ଧି ପାଇଛି । ଏହି କାରଣରୁ ଚୀନ ସରକାର ଚିନ୍ତା ପ୍ରକଟ କରି ପାକିସ୍ତାନ ସରକାରଙ୍କୁ ଶ୍ରମିକମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲା । ଏହି ଆଲୋଚନା ପରେ ପାକିସ୍ତାନ ସରକାର ଚୀନ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା କରୁଛି ।

ସୂଚନା ଥାଉକି ଚଳିତବର୍ଷ ଜୁଲାଇ ୧୩ ତାରିଖରେ ପାକିସ୍ତାନର ପସ୍ତୁନଖା ଅଞ୍ଚଳରେ ଏକ ବଡଧରଣର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏହି ସମସ୍ତ ଶ୍ରମିକମାନେ ୪୩୨୦ ମେଗାୱାଡ ଦାସୁ ହାଇଡ୍ରୋପାୱାର ପ୍ରୋଜେକ୍ଟରେ କାମ କରୁଥିଲେ । ସେମାନେ କାମକୁ ଯାଉଥିବା ବସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବୋମାମାଡ କରିଥିଲେ ।