ଉତ୍ତରପ୍ରଦେଶର ଆହ୍ୱାନକୁ କିଭଳି ସାମନା କରିବେ ମୋଦି ଶାହା ଯୋଡି । ଜାତୀୟ କାର୍ଯ୍ୟକାରିଣୀରେ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବିଜେପିର ପୋଷ୍ଟର ବୟ

118

କନକ ବ୍ୟୁରୋ: ଉତରପ୍ରଦେଶର ଦୁଇ ଶକ୍ତିଶାଳୀ ରାଜନୈତିକ ଦଳ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଏକାଠି ହେବା ପରେ ଏବେ ପ୍ରଶ୍ନ ହେଉଛି- ଏହି ମହାମେଂଟର କେମିତି ମୁକାବିଲା କରିବ ବିଜେପି । ୮୦ଟି ଲୋକସଭା ଆସନ ବିଶିଷ୍ଠ ଉତରପ୍ରଦେଶରେ, ୨୦୧୪ ନିର୍ବାଚନରେ ଏକ ପ୍ରକାର ବାଜିମାତ କରିଥିଲା ମୋଦି-ଶାହାଙ୍କ ଯୋଡି । ଏକାକୀ ବିଜେପି ୭୧ଟି ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବାରଣାସୀରୁ ନିର୍ବାଚିତ ହୋଇଥିଲେ ଖୋଦ୍ ନରେନ୍ଦ୍ର ମୋଦି ।

ବିଜେପିର ଏହି ବିପୁଳ ସଫଳତା ଉଭୟ ସମାଜବାଦୀ ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଥିଲା । ଆଉ ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହାମେଂଟ ଜରିଆରେ ଏକାଠି ହୋଇଛନ୍ତି ମାୟାବତୀ ଏବଂ ଅଖିଳେଶ । ବଡ କଥା ହେଉଛି ନିକଟରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଜନମତ ସର୍ଭେରେ ଉତରପ୍ରଦେଶକୁ ନେଇ ଏକ ବଡ ଧରଣର ଆକଳନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଯଦି ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢ଼ନ୍ତି ତେବେ ବିଜେପିକୁ ମୁକାବିଲା କରିବା ବହୁତ ବଡ ଚ୍ୟାଲେଂଜ୍ ହେବ । ଆଉ ସତ କୁ ସତ ଆଜି ମେଂଟ ହେବା ପରେ ଏହି ଦୁଇ ଦଳ ଏକାଠି ୨୦୧୯ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଛି ।

ଦେଶର ସବୁଠୁ ବଡ ରାଜ୍ୟ ଉତରପ୍ରଦେଶରେ ଏହି ଦୁଇ ଶକ୍ତିକୁ କେମିତି ମୁକାବିଲା କରିବେ ମୋଦି ଏବଂ ଶାହା ତାକୁ ନେଇ ଚର୍ଚ୍ଚା ହୋଇଛି । ଏମିତି କି ଆଜିର ସାମ୍ବାଦିକ ସମ୍ମିଳନୀରେ ମୋଦି-ଶାହା ଯୋଡ଼ିଙ୍କୁ ଗୁରୁଚାଲା ଯୋଡ଼ି କହି ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ମୟାବତୀ ।