ଦମ୍ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ । ଚମକି ଉଠିଲା ରାଜଧାନୀର ଆକାଶ

122

କନକ ବ୍ୟୁରୋ: ରାଜଧାନୀର ଆକାଶରେ ଦମ୍ ଦେଖାଇଲା ସୂର୍ଯ୍ୟକିରଣ ଟିମ୍ । ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି ବାୟୁସେନାର ଟିମ୍ । ଏହାକୁ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆ ଓ ଆଖପାଖରେ ହଜାର ହଜାର ଲୋକ ଜମା ହୋଇଥିଲେ ।

  • ଦମ୍ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ
  • ଚମକି ଉଠିଲା ରାଜଧାନୀର ଆକାଶ

ସମସ୍ତଙ୍କ ଆଖି ଲାଖିଥିଲା ଆକାଶ ଉପରେ । କାରଣ ବାୟୁବୀରଙ୍କ କଳା କୌଶଳ ପ୍ରଦର୍ଶନରେ ପୁରି ଉଠିଥିଲା ରାଜଧାନୀର ଆକାଶ । ଗୋଟିଏ ପରେ ଗୋଟିଏ ଶୈଳୀରେ ଉଡୁଥିଲେ ସୂର୍ଯ୍ୟକିରଣ ଟିମ୍ । ଦିନ ପ୍ରାୟ ୧୦ଟା ୨୦ରେ ଆରମ୍ଭ ହୋଇଥିଲା ଏୟାର ସୋ । ୯ଟି ହକ୍ ବିମାନ ଚିତାକର୍ଷକ ଶୋ’ ପ୍ରଦର୍ଶନ କରିଥିଲେ । ପ୍ରାୟ ୩୦ ମିନିଟ ଧରି କୌଶଳ ଦେଖାଇଥିଲେ ସୂର୍ଯ୍ୟକିରଣ ଟିମ୍

ସୂର୍ଯ୍ୟକିରଣ କାର୍ଯ୍ୟକ୍ରମ ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଯାଇଥିଲା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ରହି ସୂର୍ଯ୍ୟକିରଣ ସୋକୁ ଦେଖିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କୁଆଖାଇ ବାଲିଯାତ୍ରା ପଡ଼ିଆ ଓ ଆଖପାଖରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା । ବାୟୁବୀରଙ୍କ ଦୁଃସାହସିକ ପ୍ରଦର୍ଶନରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥଲେ ।

କମ୍ପୋଜିଟ୍ ଓ ସିଙ୍କ୍ରୋ ଫର୍ମେସନରେ ଉଡ଼ାଣ ଭରିଥିଲେ ସୂର୍ଯ୍ୟକିରଣ ଟିମ୍ । କମ୍ପୋଜିଟ୍ ଫର୍ମେସନରେ ୫ ଶହରୁ ୬ ଶହ ଫୁଟ ଭିତରେ ଉଡ଼ିଥିଲା ହକ୍ ବିମାନ । ସେହିପରି ସଙ୍କ୍ରୋ ଫର୍ମେସନରେ ଦୁଇଟି ଟିମରେ ଭାଗ ହୋଇ ୩ଶହରୁ ଶହେ ଫୁଟ ଉଚ୍ଚରେ ଦୁଃସାହସିକ ପ୍ରଦର୍ଶନ କରିଥିଲେ ବାୟୁବୀର । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶର ବିଭିନ୍ନ ଜାଗାରେ ଏପରି ସୂର୍ଯ୍ୟକିରଣ ସୋ ଅନୁଷ୍ଠିତ ହେଉଛି ।