ବୟସ ବଢୁଛି, ହେଲେ ପାଠ ପଢି ପାରୁନି ଜଗା: ଜଗାର ହେଲମେଟ ମଧ୍ୟ ବଦଳି ପାରୁନି

465

କନକ ବ୍ୟୁରୋ: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । କେତେ ବେଳେ ସଂପର୍କୀୟଙ୍କୁ ଫୋନ କରି କଥା ହେଉଛି । ପୁଣି କେତେ ବେଳେ ଚଟାଣରେ ବସି କଣ୍ଡେଇ ଗାଡି ଗଡେଇ ଖେଳୁଛି । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ଏବେ ସୁସ୍ଥ ଅଛି, ଖୁସି ଅଛି । ସ୍ୱତନ୍ତ୍ର କ୍ୟାବିନରୁ ବାହାରି ବାହାରେ ବୁଲା ବୁଲି ବି କରୁଛି । ସମ ବୟସ୍କ ପିଲାଙ୍କ ସହ ଖେଳା ଖେଳି ବି କରୁଛି । ଡାକ୍ତରଙ୍କ ପରାମର୍ଶରେ ଜଗା ବାପାଙ୍କ ସହ ମର୍ଣ୍ଣିଂୱାକରେ ମଧ୍ୟ ଯାଉଛି । ବାପାଙ୍କ ସହ ପାର୍କ, ମନ୍ଦିର ଓ ବଜାରକୁ ବି ଯାଉଛି । ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଜଗା ଧିରେ ଧିରେ ସୁସ୍ଥ ହେଉଛି ।

ଏହାରି ଭିତରେ ଜଗାକୁ ୮ ବର୍ଷ ହେଲାଣି, କିନ୍ତୁ ଜଗା ସ୍କୁଲ ଯାଇ ପାରୁ ନାହିଁ । ପିଲାର ବୟସ ବଢୁଥିବା ବେଳେ ସେ କେବେ ପାଠ ପଢିବ ତାକୁ ନେଇ ମାଆ ବାପାଙ୍କ ଚିନ୍ତା ବଢିଯାଇଛି । ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଜଗାର ପାଠ ପଢା ପାଇଁ କିଛି ବ୍ୟବସ୍ଥା କରାଯାଉନଥିବା ଜଗାର ମାଆ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଗା ପିନ୍ଧୁଥିବା ହେଲମେଟ ଭାଙ୍ଗିଯାଇଛି, ତାକୁ ସଜାଡି ମୁଣ୍ଡରେ ଲଗାଯାଇଛି ।

୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏମ୍ସରେ ଦୁଇ ଭାଇ ଜଗା-କାଳିଆଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ଏହି ଅପରେସନ ପରେ ବେଶ କିଛି ବର୍ଷ ହେଲା ଜଗାର ଚିକିତ୍ସା ଜାରି ରହିଛି । ଏବେ କନ୍ଧମାଳ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନ୍ରେ ତାର ଚିକିତ୍ସା କରାଯାଉଛି ।