ବଦଳୁଛି ଓଡିଆ ଚଳଚ୍ଚିତ୍ରର ରୂପରେଖ। ‘ଦମନ’ ପରେ ଦର୍ଶକଙ୍କ ମନକୁ ଛୁଇଁଲା ‘ପ୍ରତୀକ୍ଷା’, ୧୪ ସହରରେ କଲା ମୁକ୍ତିଲାଭ।

184

କନକ ବ୍ୟୁରୋ: ଫିଲ୍ମ ହଲ୍ ହାଉସଫୁଲ. ତାହା ପୁଣି ଓଡିଆ ଫିଲ୍ମ ଦେଖିବା ପାଇଁ । ଓଲିଉଡରେ ଦମନ ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିବାବେଳେ ଏଥର ପ୍ରତୀକ୍ଷାର ପାଳି । ପ୍ରଥମ ଦିନରେ ହାଉସଫୁଲ, ମର୍ଣ୍ଣିଂ ଶୋରେ ବି ଦର୍ଶକଙ୍କ ପ୍ରବଳ ଭିଡ । କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ ପ୍ରସ୍ତୁତ ହୋଇଛି ପ୍ରତୀକ୍ଷା । ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନେଇ ଗତି କରିଛି କାହାଣୀ । ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୀପନ୍ୱିତ । ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । କାହାଣୀ ଏପରି ମନଛୁଆଁ ହୋଇଛି ଯେ ଅନେକଙ୍କ ଆଖି ଭିଜିଯାଇଛି ।

ଗତ କିଛି ଦିନ ପୂର୍ବରୁ ଓଡିଆ ଫିଲ୍ମକୁ ହଲ ମିଳୁନଥଲା । ଏବେ ଓଲିଉଡର ମୋଡ ବଦଳିଛି । ଓଡିଶାର ୧୪ଟି ସହରର ୨୧ଟି ହଲରେ ପ୍ରତୀକ୍ଷାର ୨୬ଟି ଶୋ ଚାଲିଛି । ରାଜ୍ୟ ବାହାରେ ବେଙ୍ଗାଲୁରୁରେ ବି ଦର୍ଶକ ଦେଖିଛନ୍ତି ପ୍ରତୀକ୍ଷା । ଫିଲ୍ମର କାହାଣୀ ଓ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି ଦର୍ଶକ । ଓଡିଆ ଅଭିନେତା ଓ ପ୍ରଯୋଜକଙ୍କ ମନକୁ ବି ଛୁଇଁଛି ପ୍ରତୀକ୍ଷା । ଦମନ ଓ ପ୍ରତୀକ୍ଷା ପରେ ସଭିଙ୍କ ମୁହଁରେ ସେ ଗୋଟିଏ କଥା ଭଲ କାହାଣୀ ହେଲେ ଦର୍ଶକ ପୁଣି ଦେଖିବେ ଓଡିଆ ଚଳଚିତ୍ର ।