ଅର୍ଚ୍ଚନା ମାମଲାରେ ଇଡିର ଘନଘନ ଜେରା। ହାଜର ହେଲେ ଜମି ବ୍ୟବସାୟୀ।

222

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସନ୍ଦେହ ଘେରରେ ଥିବା ଜଣଙ୍କ ପରେ ଜଣଙ୍କୁ ଡାକି ବାରମ୍ବାର ଜେରା କରୁଛି ଇଡି । ଏହି କ୍ରମରେ ଶୁକ୍ରବାର ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି । ଅର୍ଚ୍ଚନା ନାଗ ମାମଲାରେ ସମନ ପାଇବା ପରେ ପ୍ରଭାତ ଇଡି ଅଫିସ ଯାଇଥିଲେ । କୁହାଯାଉଛି, ଅର୍ଚ୍ଚନା ଓ ଖଗେଶ୍ୱର, ପ୍ରତାଭଙ୍କ ଠାରୁ ଜମି କିଣିଥିଲେ । ଜମି ବାବଦକୁ ଅର୍ଥ କିପରି କାରବାର ହୋଇଥିଲା, ସେ ନେଇ ଇଡି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି ।

ସେପଟେ ଇଡିରେ ପୁଣି ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଅର୍ଚ୍ଚନା ସମ୍ପର୍କରେ ଇଡି ତାଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚାହୁଁଛି । ଏହା ପୂର୍ବରୁ ଗତ ୨୯ ତାରିଖରେ ଇଡି ତାଙ୍କୁ ୧୨ ଘଣ୍ଟାର ମାରାଥନ ଜେରା କରିଥିଲା । ଇଡିରୁ ବାହାରିବା ପରେ ପ୍ରମୋଦ କହିଥିଲେ ସେ ଇଡିର ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆହୁରି ମଧ୍ୟ କହିଥିଲେ ଯେ ଅର୍ଚ୍ଚନା ତାଙ୍କ ଘରେ ଭଡ଼ା ରହୁଥିଲେ । ସେ ସମୟରେ ଅର୍ଚ୍ଚନାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ଭଡା ଟଙ୍କା ମାଗିବାରୁ ସେ ଦେବାକୁ ମନା କରିଥିଲେ । ବରଂ ଘର ଛାଡିବା ବଦଳରେ ୫ଲକ୍ଷ ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା ।

ଗୁରୁବାର ଇଡିରେ ହାଜର ହୋଇଥିଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଅର୍ଚ୍ଚନା ନାଗ ବ୍ଲାକମେଲିଂ ଇଡି ବର୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଥିବା ବେଳେ ଆଗକୁ ଆଉ ନାମୀ ବ୍ୟକ୍ତିଙ୍କୁ ଡକାଯାଇପାରେ ବୋଲି କୁହାଯାଉଛି ।