ଫେସବୁକ ଆକାଉଣ୍ଟ ପାଇଁ ଆଧାର କାର୍ଡ ! ଲୋକପ୍ରିୟ ସୋସିଆଲ ସାଇଟ ପାଇଁ ଆସୁଛି ନୂଆ ବ୍ୟବସ୍ଥା, ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ନୂଆ ଫିଚର

105

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ଫେସବୁକ ସହ ଆଧାର କାର୍ଡ ଲିଙ୍କ୍ ନେଇ ଏକ ଓଡ଼ିଆ ଗୀତ ବେଶ ଲୋକପ୍ରିୟ ହୋଇଥିଲା । ବ୍ୟଙ୍ଗାତ୍ମକ ଶୈଳୀରେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏବେ ଓଡ଼ିଶାରେ ବେଶ ଲୋକପ୍ରିୟ ହୋଇଛି । ଗୀତରେ କୁହାଯାଉଛି-ଫେସବୁକ ସହ ଆଧାର ଲିଙ୍କ୍ ହେଲେ ଫେକ୍ ଆକାଉଂଟ ଧାରୀ ସାମ୍ନାକୁ ଆସିଯିବେ । ଆଉ ଏଭଳି ଏକ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବରେ ଲାଗୁ କରିଛି ଫେସବୁକ୍ । ଯାହା ଭାରତର କିଛି ନିର୍ଦ୍ଦିଷ୍ଟ ଅଂଚଳରେ ପରୀକ୍ଷାମୁଳକ ଭାବରେ ଆରମ୍ଭ ହୋଇଛି । ଯେଉଁଥିରେ ଫେସବୁକରେ ନୂଆ ବ୍ୟବହାରୀକାରୀଙ୍କୁ ଫେସବୁକ ସାଇନ୍ଅପ୍ କଲା ବେଳେ ଅଧାରାକାର୍ଡରେ ଥିବା ନାଁ ଅନୁସାରେ ଆକାଉଂଟ୍ ଖୋଲିବାକୁ କୁହାଯାଉଛି । ଅବଶ୍ୟ ଏହା ବାଧ୍ୟତାମୂଳକ ନୁହେଁ ।

facebook-fakeଫେସବୁକ୍ ପକ୍ଷରୁ କୁହାଯାଇଛି । ସୁବିଧାରେ ବନ୍ଧୁ, ସଂପର୍କୀୟ, ଏବଂ ପରିଚିତ ଲୋକଙ୍କ ସହ ଯୋଗାଯୋଗ ରହିବା ପାଇଁ ଏଭଳି ଏକ ବ୍ୟବସ୍ଥା ସହାୟକ ହେବ । ଆଧାରକାର୍ଡରେ ଥିବା ନାଁ ଫେସବୁକ ଆକାଉଣ୍ଟରେ ରହିଲେ ଲୋକଙ୍କୁ ସୁବିଧାରେ ଚିହ୍ନିବାରେ ସହାଯ୍ୟ କରିବ । ବର୍ତ୍ତମାନ ଏହା ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଛି । ମାତ୍ର ଏହା ବାଧ୍ୟତାମୂଳକ ନୁହେଁ ।

ବିଶେଷ କରି ଲୋକଙ୍କ ସୁବିଧା ଏବଂ ଫେକ୍ ଆକାଉଂଟରେ ଲଗାମ୍ ଲଗାଇବା ପାଇଁ ଏଭଳି ଏକ ଫିଚର ଆଣିଥିବା କୁହାଯାଉଛି । ଆଉ ସବୁଠାରୁ ବଡ କଥା ହେଲା, ଏଥିରେ କେବଳ ଆଧାରକାର୍ଡରେ ଥିବା ନାଁକୁ ବ୍ୟବହାର କରିବା ପାଇଁ କୁହାଯାଉଛି, ଆଧାର ନମ୍ବର ଦେବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଆଧାରକାର୍ଡର ସୁରକ୍ଷା ପ୍ରତି ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି ।

କିନ୍ତୁ ଫେସବୁକର ଏହି ନୂଆ ଫିଚର ସାମ୍ନାକୁ ଆସିବା ପରେ ଓଡ଼ିଆ ଗୀତ ଆପଣାଛାଏଁ ମନକୁ ଚାଲି ଆସୁଛି । ତେବେ ବ୍ୟାଙ୍କ, ଟେଲିକମ ଓ ଇନସ୍ୟୁରାନ୍ସ କ୍ଷେତ୍ରରେ ଆଧାରକାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାକୁ ନେଇ ଅନେକ ତୁମ୍ବୁତୋଫାନ ହୋଇଛି । ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ସର୍ବଜନୀନ ହେବାର ଆଶଙ୍କା ରହୁଛି । କିନ୍ତୁ ଫେସବୁକର ଏହି ନୂଆ ଫିଚର ବ୍ୟବହାରକାରୀଙ୍କ ମଧ୍ୟରେ କେତେ ଗ୍ରହଣୀୟ ହେବ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭାରତରେ ଏବେ ୨୪ କୋଟି ଲୋକ ଫେସବୁକ ବ୍ୟବହାର କରୁଛନ୍ତି । ଆମେରିକା ପରେ ଦ୍ୱିତୀୟ ସର୍ବାଧିକ ଫେସବୁକ ବ୍ୟବହାରକାରୀ ତାଲିକାରେ ଭାରତ ରହିଛି । କିନ୍ତୁ ଏହି ୨୪ କୋଟି ଆକାଉଣ୍ଟରୁ ଅନେକ ଫେକ ଆକାଉଣ୍ଟ ରହିଛି । ଯେଉଁ ଆକାଉଣ୍ଟ ସହାୟତାରେ ଅନେକ ସମୟରେ ସାଇବର କ୍ରାଇମ ହେଉଥିବାର ନଜିର ମଧ୍ୟ ରହିଛି । ତେବେ ଫେସବୁକର ଏହି ନୂଆ ପ୍ରୟାସ ଫେକ ଆକାଉଣ୍ଟକୁ କେତେ ମାତ୍ରାରେ ରୋକିପାରିବ ତାହା ଦେଖିବା ବାକି ରହିଲା ।