କୋଭିଡ-୧୯ ଟିକା କୋଭିସିଲ୍ଡକୁ ନେଇ ବିବାଦ । କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପରେ ନୋ ଏଣ୍ଟ୍ରି

899

କନକ ବ୍ୟୁରୋ : କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା । ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରାଯିବ । ସେ ଆହୁରି କହିଛନ୍ତି କି ୟୁରୋପୀୟ ସଂଘର ନୂଆ ‘ଭ୍ୟାକ୍ସିନ ପାସପୋର୍ଟ ’ ଯୋଜନା ପରେ ଏଭଳି ସମସ୍ୟା ଦେଖା ଦେଇଛି । ଯେଉଁଥିରେ ଏଷ୍ଟ୍ରାଜେନିକା- ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଭାରତରେ ପ୍ରସ୍ତୁତ ହୋଇଥିବା ଟିକାକୁ ମାନ୍ୟତା ମିଳିନାହିଁ । ଏଭଳି ସମସ୍ୟାକୁ ନିୟାମକ ସଂସ୍ଥା ଓ ବୈଦେଶିକ ବିଭାଗ ପାଖରେ ଉଠାଇବେ ଓ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ ଭାରତୀୟଙ୍କୁ ଆଶ୍ୱସ୍ଥ କରିଛନ୍ତି ।

ସୂଚନା ଥାଉକି କୋଭିସିଲ୍ଡ ଟିକାର ବିକାଶ ଅକ୍ସଫୋର୍ଡ ୟୁନିଭରସିଟି ଓ ଏଷ୍ଟ୍ରାଜେନିକା ମିଳିତ ଭାବେ କରିଛନ୍ତି । ଏହାକୁ ପୁନେ ସ୍ଥିତ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ୟୁରୁପୀୟ ସଂଘ ଏପର୍ଯ୍ୟନ୍ତ ଏଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଭ୍ୟାକ୍ସଜେବେରିଆ ଟିକାକୁ ମାନ୍ୟତା ଦେଇଛନ୍ତି । ମାତ୍ର ୟୁରୋପୀୟ ସଂଘ କୋଭିସିଲ୍ଡକୁ ମାନ୍ୟତା ଦେଇ ନଥିବାରୁ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲଗାଇଛି । ଏହାସହ ୟୁରୋପୀୟ ସଂଘ ବାୟୋଏନଟେକ- ଫାଇଜର, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକାକୁ ମାନ୍ୟତା ଦେଇଛି ।

ଅନ୍ୟପଟେ ଜୁଲାଇ ପହିଲାରୁ ୟୁରୋପୀୟ ସଂଘ ନାଗରିକଙ୍କ ଯାତାୟତ ପାଇଁ ଏକ ଡିଜିଟାଲ କୋଭିଡ ସାର୍ଟିଫିକେଟ ଯୋଜନା ପ୍ରସ୍ତୁତ କରିଛି । ଏହି ସାର୍ଟିଫିକେଟ୍ ପ୍ରସ୍ତୁତ କରାଯିବାର କାରଣ ରହିଛି ଯେଉଁମାନେ ଦେଶ ଭିତରକୁ ପ୍ରବେଶ କରିବେ ସେମାନେ ଟିକା ନେଇଥିବା ଜରୁରୀ ନଚେତ କୋଭିଡ ନେଗେଟିଭ୍ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ । ୟୁରୋପୀୟ ସଂଘର ଏଭଳି ନିୟମ ପରେ ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଥିବେ ସେମାନଙ୍କୁ ୟୁରୋପରେ ପ୍ରବେଶ ଅନୁମତି ମିଳିବ ନାହିଁ ।