ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ତେଜୁଛି ଅସନ୍ତୋଷ : ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

313

କନକ ବ୍ୟୁରୋ : ମାର୍କକୁ ନେଇ ପିଲାଙ୍କ ମନ ଖରାପ । ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ସ୍କୁଲ ଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ବୋର୍ଡ ଅଫିସ୍ ଯାଏଁ ପହଂଚିଯାଇଛି । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିଛନ୍ତି । ଏମିତି କି ନମ୍ବର ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି । ଆଜି କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ ସ୍ତରରେ ପ୍ରତିବାଦ କରିଛନ୍ତି । ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି । କେଉଁ କାରଣରୁ ମାର୍କ କମିଲା ସେ ନେଇ ସେମାନେ ସ୍କୁଲ କର୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରେ ମଧ୍ୟ ମାଟ୍ରିକ ମାର୍କକୁ ନେଇ ସ୍କୁଲ ପିଲାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ସମ୍ବଲପୁର ସିଦେ୍ଧଶ୍ୱରୀ ବେର୍ଣ୍ଣା ସରସ୍ୱତୀ ମନ୍ଦିରରେ ଧାରଣାରେ ବସିଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । କେବଳ ନବମ ଶ୍ରେଣୀର ମାର୍କକୁ ନେଇ ସେମାନଙ୍କର ମାଟ୍ରିକରେ ମାର୍କିଂ କରାଯାଇଥିବା ଅଭିଯୋଗ କରିଛନ୍ତି । ଆଗକୁ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ କହି ମାର୍କ ବଢାଇବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ୭୦ରୁ ଅଧିକ ଛାତ୍ରଛତ୍ରୀ ଓ ସେମାନଙ୍କ ଅଭିଭାବକ ବସିରହିଛନ୍ତି ।