ସଲମାନ ଖାନଙ୍କୁ ହତ୍ୟା ଧମକ : ପଞ୍ଜାବ ଗାୟକ ମୁସେୱାଲାଙ୍କ ଭଳି ମାରିବାକୁ ଚିଠି ମାଧ୍ୟମରେ ଧମକ ଦିଆଯାଇଥିବା ଅଭିଯୋଗ

420

କନକ ବ୍ୟୁରୋ : ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଚିଠି ମାଧ୍ୟମରେ ଧମକ ଦିଆଯାଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଯେତେବେଳେ ସଲମାନଙ୍କ ବାପା ସକାଳେ ଜଗିଂ କରିବାକୁ ଯାଇଥିଲେ ଓ ଯେଉଁ ବେଞ୍ଚରେ ବସିଥିଲେ, ସେତେବେଳେ ସେ ତାଙ୍କ ପୁଅ ସଲମାନ ଖାନଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ । ପୁଲିସ ଏବେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ମୁମ୍ବାଇର ବାନ୍ଦ୍ରା ପୁଲିସ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏହାର କାରଣ ହେଉଛି ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର ରଚିଥିବା ଲରେନ୍ସ ବିଷ୍ଣୋଇ ପୂର୍ବରୁ ସଲମାନଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା । ଉଲ୍ଲେଖଯୋଗ୍ୟ ବିଷ୍ଣୋଇ ସମ୍ପ୍ରଦାୟ ଦ୍ୱାରା କୃଷ୍ଣସାର ମୃଗକୁ ପବିତ୍ର ଜୀବ ଭାବରେ ବିବେଚନା କରାଯାଏ ।

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଯୋଜନା ବିଷ୍ଣୋଇ କରିଥିବା ଜଣାପଡିଥିଲା । ୨୦୧୮ରେ ଲରେନ୍ସ ସଲମାନଙ୍କୁ ଜେଲରୁ ହତ୍ୟା କରିବାକୁ ଧମକ ଦେଇଥିଲା । ହେଲେ ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ନିଜ ପସନ୍ଦର ଅସ୍ତ୍ର ନମିଳିବାରୁ ଯୋଜନା ସଫଳ ହୋଇପାରିନଥିଲା । ତେବେ ବର୍ତ୍ତମାନ ଏହି ଧମକପୂର୍ଣ୍ଣ ଚିଠି କିଏ ପଠାଇଛି ତାହାକୁ ନେଇ ଛାନଭିନ ଆରମ୍ଭ କରିଛି ପୁଲିସ ।