ପ୍ରେମ କରି ଘର ଛାଡି ପଳାଇଲେ ଯୁବକ-ଯୁବତୀ: ଗାଁ ଦାଣ୍ଡରେ ଯୁବକଙ୍କ ବାପାକୁ ମାଡ ମାରିଲେ ଯୁବତୀଙ୍କ ପରିବାର

225

କନକ ବ୍ୟୁରୋ: ପରସ୍ପର ପ୍ରେମ କରି ଫେରାର ହୋଇଗଲେ ଯୁବକ, ଯୁବତୀ । ହେଲେ ଗାଁ ଦାଣ୍ଡରେ ଯୁବକର ବାପାକୁ ମିଳିଲା ସଜ୍ଜା । ଯୁବକର ବାପାକୁ ଗାଁ ଦାଣ୍ଡର ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଯୁବତୀଙ୍କ ପରିବାର ଓ ସଂପର୍କୀୟ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ନିଆଳି ଥାନା ବରିମୁଣ୍ଡେଇ ଗାଁର ଏହି ଘଟଣା । ସେପଟେ ପ୍ରେମିକ ସହ ଫେରାର ହୋଇଯାଇଥିବା ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଜାରି କରି ନିଜ ସୁରକ୍ଷା ମାଗିଛନ୍ତି ।

ବାପ ଘର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯୁବତୀ, ସ୍ୱାମୀ ଓ ଶ୍ୱଶୂର ଘର ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୁଲିସ ପ୍ରଶାସନକୁ ଭିଡିଓରେ ନିବେଦନ କରିଛନ୍ତି । ଭିଡିଓ ଭାଇରାଲ ହେବାରୁ ଉଚ୍ଚକର୍ତୃପକ୍ଷଙ୍କ ଚାପ ପରେ ନିଆଳି ଥାନା ଆଇଆଇସି ବରିମୁଣ୍ଡେଇ ଗାଁରେ ପହଂଚି ଦୁଇ ପରିବାର ସହ ଆଲୋଚନା କରିଛନ୍ତି । ହେଲେ ପୁଅର ବାପାକୁ ବାନ୍ଧି ମାଡ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ତେଣୁ ସାଧାରଣରେ ନିଆଳି ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।