୫୨ ବର୍ଷର ହକି କ୍ୟାପଟେନ୍ : ଜଗତସିଂହପୁର ହକି ଟିମର ନେତୃତ୍ୱ ନେଉଛନ୍ତି ବିଶ୍ୱବିଜୟ ସାହୁ

50

କନକ ବ୍ୟୁରୋ : କଥାରେ ଅଛି କୌଣସି ସଫଳତା ବା କାମ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର । ଆଉ ଇଚ୍ଛା ଶକ୍ତି ଥିଲେ ଜଣେ ମଣିଷ କିଛି ବି କରିବାକୁ ସକ୍ଷମ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିଶ୍ୱବିଜୟ ସାହୁ । ଯେଉଁ ବୟସରେ ବିଶ୍ୱବିଜୟ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା କଥା, ସେହି ବୟସରେ ହକି ଷ୍ଟିକରେ ଦେଖାଉଛନ୍ତି ଯାଦୁ । ବିଶ୍ୱବିଜୟଙ୍କ ବୟସ ୫୨ ବର୍ଷ । ଆଉ ଏହି ବୟସରେ ସେ ଜଗତସିଂହପୁର ହକି ଟିମର ନେତୃତ୍ୱଭାର ବହନ କରିଛନ୍ତି ।

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣତଃ ୩୫ ଟପିଲେ, ଜଣେ ଖେଳାଳି ଅବସର ନେବା କଥା ଚିନ୍ତା କରିଥାଏ । ତେବେ ବିଶ୍ୱବିଜୟଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ୧୯୮୫ ମସିହାରେ ହକିରେ ପାଦ ଥାପିଥିବା ବିଶ୍ୱବିଜୟ ପ୍ରଥମେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ୧୯୮୭ରେ ମ୍ୟାଙ୍ଗୋ କପ୍ ଓ ଭୈରବ ମହାନ୍ତି ଗୋଲ୍ଡ କପରେ ଧ୍ୟାନଚାନ୍ଦ ହକି କ୍ଲବର ନେତୃତ୍ୱ ନେଇଥିଲେ ବିଶ୍ୱବିଜୟ । ଏହା ପରେ କ୍ଲବର ନାଁ ବଦଳି ୧୯୯୩ରେ ଜଗତସିଂହପୁର ହକି ଟିମ ଗଠନ ହୋଇଥିଲା ।

୧୯୯୬ରେ ମର୍ଚାଣ୍ଟ ନେଭିରେ ଯୋଗ ଦେବା ପରେ ବିଶ୍ୱବିଜୟ ପେସାଦାର ହକିରୁ ବିରତି ନେଇଥିଲେ । କିନ୍ତୁ ୨୦୧୯ରେ ନେଭିରୁ ଅବସର ନେବା ପରେ ବିଶ୍ୱବିଜୟ ପୁଣିଥରେ ହକିକୁ ଫେରିଥିଲେ । ସେବେଠାରୁ ଜଗତସିଂହପୁର ଟିମର ନେତୃତ୍ୱ ନେଇଆସୁଛନ୍ତି । ୫୨ ବର୍ଷରେ ମଧ୍ୟ ବିଶ୍ୱବିଜୟଙ୍କ ଭିତରେ ସେହି ଜୋଶ୍ ଭରି ରହିଛି । ବିଶ୍ୱବିଜୟ ବର୍ତମାନ ଉପକୂଳ ଅଂଚଳରେ ହକିର ବିକାଶ ପାଇଁ କାମ କରୁଛନ୍ତି ।