ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଘନୀଭୂତ ହେବା ସମ୍ଭାବନା : ୪ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

351

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ଗତି କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।  ଆଜି ରାଜ୍ୟର ୪ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବିଶେ‌ଷକରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ସବୁ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଟି ଧସିବା, ଚାଷ ଜମିରେ ପାଣି ଜମିବା, ମାଟି ଘର ଭାଙ୍ଗିବା ଓ ରାସ୍ତା ଧୋଇଯିବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । ସାଧାରଣତଃ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଣୁ ଏସବୁ ଜିଲ୍ଲା ପାଇଁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଭାରୀ ବର୍ଷା ସମ୍ଭାବନା ରହିଛି । ୨୧ତାରିଖ ଦିନ ବି ରାଜ୍ୟରେ ଭାରୀ ବର୍ଷା ଜାରି ରହିବ। ୨୨ରୁ ବର୍ଷା କମିବ ।