ବଦଳିଗଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ । ୩  ଲକ୍ଷ ଋଣ କରିଥିଲେ, ପାଇଲେ  ୨୫ କୋଟି 

1,567

କନକ ବ୍ୟୁରୋ: ଅଟୋ ଡ୍ରାଇଭରଙ୍କ ଭାଗ୍ୟ ବଦଳିଗଲା । ଋଣ କରିଥିଲେ ୩ ଲକ୍ଷ , ପାଇଲେ ୨୫ କୋଟି ଟଙ୍କା । ଚର୍ଚ୍ଚାରେ ଏବେ କେରଳର ଅଟୋ ଡ୍ରାଇଭର ଅନୁପ  । ନିଜ ପେଟପାଟଣା ପାଇଁ ଏକ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କାର ଋଣ କରିଥିଲେ , ହେଲେ ଭାଗ୍ୟ ସାଥ୍ ଦେଲା ଯେ, ତାଙ୍କୁ ଏକକାଳୀନ ମିଳିଲା କୋଟିଏ ଦୁଇ କୋଟି ନୁହେଁ ପୁରା ୨୫ କୋଟି ଟଙ୍କା ।

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦେଇଥାନ୍ତି। ହଜାରେ ଦିଅଁ ଦେବତା ପୂଜା କରି ମଧ୍ୟ ଅନେକ ଲୋକଙ୍କ ଭାଗ୍ୟରେ କୌଣସି ପରିବର୍ତ୍ତନ ହେଉନଥିବା ବେଳେ ଆଉ କାହା ଭାଗ୍ୟରେ ଭଗବାନ ଅଜାଡି ଦିଅନ୍ତି ଖୁସୀର ଅସରନ୍ତି ଭଣ୍ଡାର। ସେପରି ଏକ ଘଟଣା ଘଟିଛି କେରଳ ଅଟୋ ଡ୍ରାଇଭର ଅନୁପଙ୍କ ସହ ।  ଓନାମ ଉତ୍ସବ ତାଙ୍କ ଭାଗ୍ୟ ଖୋଲି ଦେଇଛି । ଓନାମ ଲଟେରୀରେ ଅନୁପଙ୍କୁ ମିଳିଛି ୨୫ କୋଟି ଟଙ୍କା ।

ଅପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନୁପ ଅଟୋ ଚଳାଇ ପରିବାର ଭରଣ ପୋଷଣ କରନ୍ତି । ହେଲେ ଅଟୋ ଚଲାଇବା ପୂର୍ବରୁ ସେ ଜଣେ ରୋଷେୟା ଭାବେ କାମ କରୁଥିଲେ । ଅଟୋରେ ପରିବାର ଚଳାଇବା କଷ୍ଟକର ହେବାରୁ ପୁଣିଥରେ ରୋଷେୟା ଭାବ କାମ ଆରମ୍ଭ କରିବାକୁ ମନ ବଳାଇଲେ । ଏଥିପାଇଁ ସେ ଘର ପରିବାର ଛାଡି ମାଲେସିୟା ଯିବାକୁ ପ୍ରସ୍ତୁତ ହୋଇଥିଲେ । ଏଥିପାଇଁ ଏକ ସଂସ୍ଥା ପାଖରୁ ୩ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ  । ଯିବା ପୂର୍ବରୁ ପଡିଥିଲା ପ୍ରସିଦ୍ଧ ଓନାମ ପର୍ବ  । ଏଥିପାଇଁ ଆରମ୍ଭ ହୋଇଯାଇଥିଲା ଓନାମ ଲଟେରି କିଣାବିକା । ଅନୁପ ମଧ୍ୟ ଭଗବତୀ ଏଜେନ୍ସି ଠାରୁ ଏକ ଓନାମ୍ ଲଟେରୀ କିଣିନେଇଥିଲେ ।

ଗୋଟିଏ ଦିନ ପରେ ବଦଳିଗଲା ଅନୁପଙ୍କ ଭାଗ୍ୟ । ଲକି ଡ୍ର ଲଟେରୀ ଉଠାଣରେ ଥିଲା ତାଙ୍କ ଲଟେରୀ ନମ୍ବର । କେରଳ ମନ୍ତ୍ରୀ ଏନ୍ ବାଲଗୋପାଳ,  ରାଜ୍ୟ ପରିବହନ ମନ୍ତ୍ରୀ ଏନଟି ରାଜା ଓ ବିଧାୟକଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ହୋଇଥିଲା, ଯେଉଁଥିରେ ଆସିଥିଲା ଅନୁପଙ୍କ ନାଁ । ପ୍ରଥମେ ଏହାକୁ ବିଶ୍ୱାସ କରିପାରୁନଥିଲେ ଅନୁପ । ହେଲେ ଏହି ଲଟେରୀ ଖଣ୍ଡକ ତାଙ୍କ ଜୀବନରେ ଖୁସିର ସମ୍ଭାର ଆଣିଦେଇଥିଲା । ଏହାକୁ ଭଗବାନଙ୍କ ଓନାମ ଆଶୀର୍ବାଦ ବୋଲି କହିଛନ୍ତି ଅନୁପ ଓ ତାଙ୍କ ପରିବାର ।

ଅନୁପ୍ ଯେଉଁ ଏଜେନ୍ସି ଠାରୁ ଲଟେରୀ ଟିକେଟ କିଣିଥିଲେ ସେଠାରେ ଥିବା ଗଣମାଧ୍ୟମର ପ୍ରତିନିଧିକୁ ସେ ଜଣାଇଥିଲେ ଯେ ଟି-୭୫୦୬୦୫ ତାଙ୍କର ପ୍ରଥମ ପସନ୍ଦ ନଥିଲା। ତେଣୁ, ସେ ଦ୍ୱିତୀୟ ଟିକେଟ୍ ନେଇଥିଲେ  । ଲଟେରୀ ଜିତିବା ଦିନ ଗଣମାଧ୍ୟମରେ ଏହା ଜଣାପଡିବା ପରେ ସେ ତାଙ୍କ ପତ୍ନୀଙ୍କୁ ନମ୍ବର ମିଶାଇବାକୁ କହିଥିଲେ  ଓ ତାଙ୍କ ପତ୍ନୀ ଏହା ତାଙ୍କର ଲଟେରୀ ନମ୍ବର ବୋଲି ନିଶ୍ଚିତ କରିଥିଲେ । ଏହାପରେ ଏଜେନ୍ସି ଠାରୁ ଅନୁପଙ୍କୁ ଫୋନ୍ କଲ ଆସିଥିଲା ।

ଅନୁପ ଜିତିଥିବା ଲଟେରୀ ପରିମାଣ ଏବେଯାଏଁର ସବୁଠାରୁ ବଡ ଅଙ୍କ । ଅନୁପଙ୍କୁ ପ୍ରଥମ ପୁରସ୍କାର ଭାବେ ୨୫ କୋଟି ମିଳି ଥିବାବେଳେ ଦ୍ୱିତୀୟ ପୁରସ୍କାର ରାଶି ଥିଲା ୫ କୋଟି ଓ ତୃତୀୟ ପୁରସ୍କାର ରାଶି ୧୦ ବିଜେତାଙ୍କ ପାଇଁ କୋଟିଏ ଟଙ୍କାର । ତେବେ ୨୫ କୋଟିରୁ ଟ୍ୟାକ୍ସ ବାବଦରେ ଟଙ୍କା କଟିଯିବା ପରେ ଅନୁପଙ୍କୁ ମିଳିବ ୧୫ କୋଟି ୭୫ ଲକ୍ଷ ଟଙ୍କା । ତେବେ ଏହି ଟଙ୍କା ଜିତିବା ପରେ ଏଥିରୁ କିଛି ଟଙ୍କା ଗରୀବଙ୍କୁ ଦାନ କରିବା ସହ ଏଥିରେ ନିଜର ଏକ ହୋଟେଲ ଆରମ୍ଭ କରିବେ ବୋଲି କହିଛନ୍ତି ଅନୁପ ।