ଚାଷୀ ଆନ୍ଦୋଳନକୁ ନେଇ ଆଜି ବସିବ ନବମ ରାଉଣ୍ଡ ବୈଠକ : ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର; ଚାଷୀ ନେତା କହିଲେ, ସମାଧାନ ଚାହୁଁ ନାହାଁନ୍ତି ମୋଦି ସରକାର

ଆନ୍ନା ହଜାରେ ଦେଲେ ଆମରଣ ଅନସନର ଚେତାବନୀ; ସେପଟେ ୧୯ ତାରିଖରେ ବସିବାରେ ସୁପ୍ରିମକୋର୍ଟ ନିଯୁକ୍ତ ପ୍ୟାନେଲର ପ୍ରଥମ ବୈଠକ

90

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା ଭିତରେ ଆଜି ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ବସିବାକୁ ଯାଉଛି । ବୈଠକ ପୂର୍ବରୁ ଚାଷୀ ନେତା ଚେତାବନୀ ଦେଇ କହିଛନ୍ତି- ଏହା କେନ୍ଦ୍ର ସରକାରଙ୍କ ସହ ଶେଷ ବୈଠକ । ଏହା ପରେ ସେମାନେ ଆଉ ସରକାରଙ୍କ ସହ ଆଲୋଚନା କରିବେ ନାହିଁ । ସରକାରଙ୍କ ଉପରେ ଭରସା ନଥିବା କହିଛନ୍ତି- ଭାରତୀୟ ଚାଷୀ ସଂଗଠନର ନେତା ଯୋଗିନ୍ଦର ସିଂ ଉଗ୍ରାହାନ୍ । କେନ୍ଦ୍ର ସରକାର ସମସ୍ୟାର ସମାଧାନ ଚାହୁଁଥିଲା ବୋଲି ମନେ ହେଉନାହିଁ ବୋଲି ସେ କହିଛନ୍ତି । ଏପଟେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ପ୍ୟାନେଲର ବୈଠକ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାର ସଂଭାବନା ରହିଛି ।

ଏସବୁ ଭିତରେ ପୁଣି ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ସମାଜସେବୀ ଆନ୍ନା ହଜାରେ । କୃଷି ଆଇନର ପ୍ରତ୍ୟାହାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ସରକାର ଚାଷୀଙ୍କ ଦାବିକୁ ସ୍ୱୀକାର ନକଲେ ଚଳିତ ମାସ ଶେଷ ଆଡକୁ ଆମରଣ ଅନସନ କରିବେ ବୋଲି ମଧ୍ୟ ଚେତବାନୀ ଦେଇଛନ୍ତି । ୩ଟି ଯାକ କୃଷି ଆଇନ୍ର ପ୍ରତ୍ୟାହାର ଦାବିରେ ଗତ ନଭେମ୍ବର ୨୮ ତାରିଖରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବିଭିନ୍ନ ରାଜ୍ୟାର ଚାଷୀ ।